ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ନଭେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ‘ଗୋସିଂହ ଦୈତ୍ୟ ଦରବାର’ରେ ବିଶିଷ୍ଟ ଶିକ୍ଷାବିତ୍ ସତ୍ୟନାରାୟଣ ମୁଣ୍ଡଛିନାଙ୍କୁ ୨୦୨୫ ବର୍ଷ ପାଇଁ ଏବଂ ଜୟଶ୍ରୀ ବହିଦାରଙ୍କୁ ୨୦୨୬ ବର୍ଷ ପାଇଁ ମର୍ଯ୍ୟାଦାଜନକ ‘ଦେବଗିରି ଶିକ୍ଷା ସମ୍ମାନ’ ପ୍ରଦାନ କରାଯିବ।
ଥୁଆମୂଳ ରାମପୁର ନିବାସୀ ଶ୍ରୀ ମୁଣ୍ଡଛିନା ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ଥୁଆମୂଳ ରାମପୁର ବ୍ଲକରେ ଉଚ୍ଚ ଶିକ୍ଷାନୁଷ୍ଠାନ ନଥିବା ସମୟରେ ନିଜସ୍ୱ ଉଦ୍ୟମରେ ଏବଂ ପରିବାରର ଭୂମିଦାନ କରି ସେ ଯୁକ୍ତଦୁଇ କଲେଜ ଏବଂ ପରବର୍ତ୍ତୀ ସମୟରେ ଡିଗ୍ରୀ କଲେଜ ପ୍ରତିଷ୍ଠା କରାଇଥିଲେ। ତାଙ୍କ ଉଦ୍ୟମରେ ସରସ୍ୱତୀ ଶିଶୁ ମନ୍ଦିର ଓ ଦ୍ରୋଣାଚାର୍ଯ୍ୟ ପବ୍ଲିକ ସ୍କୁଲ ସ୍ଥାପନ ହୋଇଛି। ଏଥିସହ ସେ ଛାତ୍ର ଜୀବନରୁ ନେତୃତ୍ୱ ନେଇ ଭବାନୀପାଟଣା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଉପ-ସଭାପତି ଭାବରେ କାର୍ଯ୍ୟ କରିଥିଲେ। ୧୯୯୦ ମସିହାରୁ ସେ ‘ବିଶେଷ ଖବର’ର ଜିଲ୍ଲା ପ୍ରତିନିଧି ସହ କେବିକେ ଅଞ୍ଚଳ ପାଇଁ ସାପ୍ତାହିକ ‘ଜାଗ୍ରତ ହୁଅ’ର ସହ-ସଂପାଦକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଅଞ୍ଚଳରେ ଯୁବକମାନଙ୍କୁ ଏକତ୍ରିତ କରିବା ପାଇଁ ବ୍ଲକରେ ତାଙ୍କ ଉଦ୍ୟମରେ ୮୦ଟି ଯୁବକ ସଂଘ ପ୍ରତିଷ୍ଠା କରାଯାଇଥିଲା। ସେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ପଶ୍ଚିମ ମଣ୍ଡଳର ଯୁଗ୍ମ ସଂପାଦକ ତଥା ଏକଲ ବିଦ୍ୟାଳୟ ଅଭିଯାନ ସହ ଜଡ଼ିତ ରହିଛନ୍ତି। ତାଙ୍କୁ ପୂର୍ବରୁ ନେହେରୁ ଯୁବ କେନ୍ଦ୍ରରୁ ‘ଯୁବ ପୁରସ୍କାର’ ଏବଂ ‘ପ୍ରକୃତି ବନ୍ଧୁ ପୁରସ୍କାର’ ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ, ଜୟଶ୍ରୀ ବହିଦାର ୧୯୯୩ ମସିହାରୁ ମାଟିଆ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ତେନ୍ତୁଳିପଡ଼ା ପ୍ରାଥମିକ ବିଦ୍ୟାଳୟ ଏବଂ ଭବାନୀପାଟଣା ପୁରୁଣାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଜର ଶିକ୍ଷାଦାନ ସେବା ଯୋଗାଇଥିଲେ। ୨୦୨୩ରେ ସେ ଡୁମେରବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ନିଜସ୍ୱ ଉଦ୍ୟମ ଓ ଅର୍ଥରେ ବିଦ୍ୟାଳୟର ଚିତ୍ର ବଦଳାଇ ଦେଇଛନ୍ତି। ବିଦ୍ୟାଳୟରେ ଏକ ଦୁଲ୍ଦୁଲି ମଞ୍ଚ, ମଧ୍ୟାହ୍ନ ଭୋଜନ ପାଇଁ ଆନନ୍ଦ ବଜାର, ସୁନିୟନ୍ତ୍ରିତ ସବୁଜ ବଗିଚା, ପାନୀୟ ଜଳ ପାଇଁ ପାଣି ଟ୍ୟାପ୍ ଏବଂ ଆଦର୍ଶ ପରିମଳ ବ୍ୟବସ୍ଥା କରାଯାଇଛି। ଶ୍ରେଣୀଗୃହ, ପାଚେରୀ, ହତା ଓ କବାଟମାନଙ୍କରେ ଶୈକ୍ଷିକ ଓ ସହ-ଶୈକ୍ଷିକ ବାର୍ତ୍ତା ସହ ଉଚ୍ଚମାନର ଶିକ୍ଷଣ ସାମଗ୍ରୀ ଲଗାଯାଇ ବିଦ୍ୟାଳୟକୁ ଏକ ମନୋଜ୍ଞ ଶିକ୍ଷଣୀୟ ପରିବେଶରେ ପରିଣତ କରାଯାଇଛି। ପରିବେଶ ସୁରକ୍ଷା ପ୍ରତି ତାଙ୍କର ନିଷ୍ଠା ପାଇଁ ନିକଟରେ ତାଙ୍କୁ ୨୦୨୫-୨୬ ବର୍ଷ ପାଇଁ ‘ପ୍ରକୃତି ମିତ୍ର ପୁରସ୍କାର’ ମଧ୍ୟ ପ୍ରଦାନ କରାଯାଇଛି।
ଉଭୟ ଶିକ୍ଷାବିତଙ୍କର ଏହି ଉଲ୍ଲେଖନୀୟ ଶିକ୍ଷାଦାନ ଓ ସମାଜ ପ୍ରତି ଥିବା ଅବଦାନକୁ ସ୍ୱୀକୃତି ଦେବା ପାଇଁ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।





