ପିଏମ୍‌ଏୱାଇ ଟଙ୍କା ମଞ୍ଜୁର ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଜୁନାଗଡ଼ ଏନ୍‌ଏସି କର୍ମଚାରୀ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) ଅଧୀନରେ ଗୃହ ନିର୍ମାଣ ପାଇଁ ବାକି ଥିବା ଅର୍ଥରାଶି ମଞ୍ଜୁର କରାଇଦେବା ନିମନ୍ତେ ହିତାଧିକାରୀଙ୍କଠାରୁ ଲାଞ୍ଚ ଦାବି କରିବା ଓ ଗ୍ରହଣ କରିବା ଅଭିଯୋଗରେ ଜୁନାଗଡ଼ ଏନ୍‌ଏସିର ଜଣେ କର୍ମଚାରୀ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଜୁନାଗଡ଼ ଏନ୍‌ଏସିର ମ୍ୟାନେଜମେଣ୍ଟ ଇନ୍‌ଫର୍ମେସନ୍‌ ସିଷ୍ଟମ୍‌ (ଏମ୍‌ଆଇଏସ୍‌) ପ୍ରୋଗ୍ରାମର ପ୍ରଦ୍ୟୁମ୍ନ କୁମାର ଦାସ।। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଜଣେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ମୋଟ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏଥିମଧ୍ୟରୁ ୧ ଲକ୍ଷ ୬୦ ହଜାର ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଥିବା ବେଳେ ଅବଶିଷ୍ଟ ୪୦ ହଜାର ଟଙ୍କା ମୁକ୍ତ କରାଇବା ପାଇଁ ଅଭିଯୁକ୍ତ ଏମ୍‌ଆଇଏସ୍‌ ପ୍ରୋଗ୍ରାମର ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ହିତାଧିକାରୀ ଜଣକ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଅଭିଯୁକ୍ତ ଟଙ୍କା ଦାବିରେ ଅଟଳ ରହିଥିଲେ। ଏପରିକି ଦାବି ମୁତାବକ ଲାଞ୍ଚ ନଦେଲେ ଅବଶିଷ୍ଟ ଅର୍ଥରାଶି ମୁକ୍ତ କରିବା ପାଇଁ ଆବଶ୍ୟକ ପ୍ରକ୍ରିୟା ଆଗକୁ ବଢ଼ାଇବେ ନାହିଁ ବୋଲି ଧମକ ଦେଇଥିବା ନେଇ ହିତାଧିକାରୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲା। ଶନିବାର ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାର ଦାସ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୭ ହଜାର ଟଙ୍କା ଜବତ କରାଯାଇଛି। ଏହି ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତଲାସି ଅଭିଯାନ ଜାରି ରହିଛି। ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍‌ ନଂ ୨୮/୨୦୨୬ ରୁଜୁ କରାଯାଇ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାର ଦାସଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି। ଚଢ଼ାଉ ଓ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.