ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ତୃତୀୟଲିଙ୍ଗୀ ଦିବସ ପାଳିତ

ମୌଳିକ ଅଧିକାର ନେଇ ଦାବୀପତ୍ର ଦେଲା ନର୍ଲା ସେବାକାରୀ କିନ୍ନର ସଂଘ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ଜିଲ୍ଲାପାଳ ଙ୍କ ସମ୍ମେଳନ କକ୍ଷରେ ଜିଲ୍ଲା ସ୍ତରୀୟ ତୃତୀୟଲିଙ୍ଗୀ ଦିବସ ଏ ଡି ଏମ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏଥିରେ ଡିଏଚଏଚ ଡ. ଟୁଡୁ, ଡି ଏଚ ଏଚ ନିବେଦିତା ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କଅଁର, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଭବାନୀପାଟଣା ସ୍ଥିତ ଦାପ୍ତା ଏନଜିଓ ର କର୍ମକର୍ତ୍ତା, କେସିଙ୍ଗା ବିଏସଏ ଏନଜିଓର କର୍ମକର୍ତ୍ତା, ନର୍ଲା ସେବାକାରୀ କିନ୍ନର ସଂଘ ର ସଭାପତି କାମିନୀ କିନ୍ନର ପ୍ରମୁଖ ମଞ୍ଚାସୀନ ରହି ବର୍ତ୍ତମାନ ମଧ୍ୟ ସମାଜରେ କିନ୍ନର ମାନଙ୍କ ବଞ୍ଚିବା, ମୌଳିକ ଅଧିକାର ପାଇବାକୁ ନେଇ ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ। ଇତ୍ୟବସରରେ ନର୍ଲା ସେବାକାରୀ କିନ୍ନର ସଂଘ ତରଫରୁ କିନ୍ନର ମାନଙ୍କ ମୌଳିକ ସୁବିଧା କୁ ନେଇ ଏଡିଏମ ଶ୍ରୀ ଦରୱାନ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଦାବୀ ଗୁଡ଼ିକ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ତୃତୀୟଲିଙ୍ଗୀ ବ୍ୟକ୍ତି ବିଶେଷଙ୍କ ମୌଳିକ ଅଧିକାର, ସାମାଜିକ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, ଆର୍ଥିକ ସଶକ୍ତିକରଣ, ସରକାରୀ ଯୋଜନାର ସୁଫଳ ଏବଂ ସମାଜରେ ସମାନ ସମ୍ମାନ, ଶିକ୍ଷା, ଛାତ୍ରବୃଦ୍ଧି, ଦକ୍ଷତା ବିକାଶ, ଆତ୍ମନିଯୁକ୍ତି ଓ ସ୍ବାସ୍ଥ୍ୟ ସହାୟତା ସମ୍ପର୍କରେ ସୂଚନା ପ୍ରଦାନ । ପ୍ରତ୍ୟେକ ବ୍ଲକ୍‌ରେ ସଚେତନତା ଓ ପଞ୍ଜୀକରଣ ଶିବିର ଆୟୋଜନ, ତୃତୀୟଲିଙ୍ଗୀଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ବ୍ୟବସ୍ଥା, ନିୟମିତ ସାମାଜିକ ସଚେତନତା କାର୍ଯ୍ୟକ୍ରମ,ତୃତୀୟଲିଙ୍ଗୀଙ୍କ ପରିଚୟ ଚିହ୍ନଟ ଓ ପଞ୍ଜୀକରଣ ବ୍ୟବସ୍ଥା, ଜାତୀୟ ଟ୍ରାନ୍ସଜେଣ୍ଡର ପୋର୍ଟାଲରେ ପଞ୍ଜୀକରଣ ଓ ପରିଚୟପତ୍ର ପ୍ରଦାନରେ ସହଯୋଗ, ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ଓ ସମ୍ମାନ ସୁରକ୍ଷିତ ରଖିବା, ଟ୍ରାନ୍ସଜେଣ୍ଡର ପରିଚୟପତ୍ରର ତ୍ରୁଟି ସଂଶୋଧନ। ସମସ୍ତ କ୍ଷେତ୍ରରେ ସମାନ ନିଯୁକ୍ତି ଓ ସୁଯୋଗ। ସ୍ବାସ୍ଥ୍ୟ ବିଭାଗ, ପୌରପାଳିକା, ପଞ୍ଚାୟତ ଓ ଅନ୍ୟାନ୍ୟ ସରକାରୀ ବିଭାଗରେ ଯୋଗ୍ୟତଃ ଅନୁସାରେ ନିଯୁକ୍ତି। ବେସରକାରୀ ସଂସ୍ଥା, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ ଓ କମ୍ପାନୀରେ ନିଯୁକ୍ତି ସୁଯୋଗ। ସରକାରୀ ଓ ସାମାଜିକ କମିଟିରେ ତୃତୀୟଲିଙ୍ଗୀ ପ୍ରତିନିଧିତ୍ତ୍ଵ ପ୍ରଭୃତି ବିଷୟକୁ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କଅଁର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.