କାରୁଣ୍ଡ କାରୁଣ୍ୟ : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଦାବୀ

‘ଓଡ଼ିଶାରେ ଜଗନ୍ନାଥଙ୍କର ଆଦିପୀଠ ନୀଳାଚଳ ଶ୍ରୀକ୍ଷେତ୍ର, କୋରାପୁଟର ଶାବର ଶ୍ରୀକ୍ଷେତ୍ର, ସୁବର୍ଣ୍ଣପୁର ର ପାତାଳୀ ଶ୍ରୀକ୍ଷେତ୍ର, ଅନୁଗୁଳର ଶୈଳ ଶ୍ରୀକ୍ଷେତ୍ର ଭଳି କାଳାହାଣ୍ଡିର କାରୁଣ୍ଡ ଶ୍ରୀକ୍ଷେତ୍ର ଦେଖିଲା ଭଳି, ଦେଖି ସାରିଲେ ଯେ ସବୁ ଦିନ ପାଇଁ ହୃଦୟର କୋଉ ଏକ ନିଭୃତ କୋଣରେ ସାରାଜୀବନ ପାଇଁ ଆଙ୍କି ହେଇଯିବ ଏକ ଅଭୁଲା ଛବି । ଇଚ୍ଛା ହେବ ପ୍ରତି ବର୍ଷ ଥରେ ମୁହଁ ମାରି ଦେଖିଯିବାକୁ ଏଇ ପ୍ରକୃତିର କୋଳରେ ଥିବା ମନୋରମ କାରୁଣ୍ଡ ଶ୍ରୀକ୍ଷେତ୍ରକୁ ।’

ଉପସ୍ଥାପନା : ହେମନ୍ତ ସାହୁ

ସନାତନ ଧର୍ମଧାରାର ଅଗ୍ରଗଣ୍ୟ ଦେବତା ଶ୍ରୀଜଗନ୍ନାଥ ବିଶ୍ବ ଦେବତା ଭାବେ ପୃଥିବୀର କୋଟି କୋଟି ଭକ୍ତ ମାନଙ୍କ ଦ୍ବାରା ଆରାଧିତ । ସମସ୍ତ ଧର୍ମ ଓ ମତର ଉର୍ଦ୍ଧରେ ରହି ଜଗତର ନାଥ ନାମ ବହନ କରୁଥିବା ଜଗନ୍ନାଥ ସତରେ ଏକ ବୈଚିତ୍ର୍ୟମୟ ଦେବତା । ଶ୍ରୀଜଗନ୍ନାଥଙ୍କୁ ନେଇ କେତେଯେ ଶାସ୍ତ୍ର ପୁରାଣ ମୁଖରିତ ହୋଇଛି ତା’ର କଳନା ନାହିଁ । ଓଡିଶା ବିଭିନ୍ନ ଗ୍ରାମରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଆରାଧିତ ହୋଇ ଆସୁଛନ୍ତି । ପ୍ରାଚୀନ ଆଟବିକ ରାଜ୍ୟ/ କାନ୍ତାର/ ମହାକାନ୍ତାର/ କାରୁଣ୍ଡ ମଣ୍ଡଳ/ ଇନ୍ଦ୍ରବନ ଆଦି ବିଭିନ୍ନ ନାମରେ ନାମିତ ହୋଇଥିବା ବର୍ତ୍ତମାନର କଳାହାଣ୍ଡିରେ ମଧ୍ୟ ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାର ଘଟଛି । ବର୍ତ୍ତମାନର ସମୟରେ ଏହାକୁ ଅଧିକ ବ୍ୟାପ୍ତ କରିବା ଉଦ୍ଦେଷ୍ୟରେ ମ.ରାମପୁର ବ୍ଲକ କଢେଲ ଠାରେ କାରୁଣ୍ଡ ଶ୍ରୀକ୍ଷେତ୍ର ଗଢି ଉଠିଛି । ଏକ ଭବ୍ୟ ମନ୍ଦିର ମଧ୍ୟରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ତେବେ ବର୍ତ୍ତମାନ ଏହି ପୂଣ୍ୟ ପୀଠରେ କାରୁଣ୍ୟତା ଦେଖାଦେଇଛି ।

ଓଡ଼ିଶାର ଅନ୍ୟତମ ଜଗନ୍ନାଥଧାମ ତଥା କାରୁଣ୍ଡ ଶ୍ରୀକ୍ଷେତ୍ର ନାମରେ ପରିଚିତ କଢେଲ ଠାରେ ୧୯୮୫ ମସିହାରୁ ଆରମ୍ଭ ହେଇଥିବା କାରୁଣ୍ଡ ଶ୍ରୀକ୍ଷେତ୍ରରେ ଗତ ୨୦୧୫ ମସିହାଠାରୁ ରଥଟଣା ବନ୍ଦ ହେଇଥିବାବେଳେ ଗରୁଡ଼ ସ୍ତମ୍ଭ ସମ୍ମୁଖରେ ତିନିରଥଙ୍କ ଧାରଣା ଜାରୀ ରହିବା ସହିତ ଆଶ୍ରମ ମୁଖ୍ୟ ଦ୍ୱାର ପାଖରେ କାନ୍ଥ କହେ କ୍ରମରେ ରଥ ଟଣା ବନ୍ଦ ହେବାର କାରଣ ଯେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ ଆଶ୍ରମ ଉପରେ ସ୍ଥାନୀୟ ନ୍ୟସ୍ତସ୍ୱାର୍ଥ ଲୋକ ତଥା ପଂଚାୟତର ଅକଥନୀୟ ଅନ୍ୟାୟ ଅତ୍ୟାଚାର ପ୍ରାଦୁର୍ଭାବ ଓ ଅପପ୍ରଚାର ଜାରି ରହିଛି । ଆଶ୍ରମ ନିର୍ମିତ ବଡ଼ଦାଣ୍ଡ ଉପରେ ସ୍ଥାନୀୟ ପଂଚାୟତ ତରଫରୁ ଅନ୍ୟଏକ ବିକଳ୍ପ ରଥଟଣା ଚାଲିଛି ଭଳି କିଛି ବିଷୟ ଉଲ୍ଲେଖ କରାଯାଇଛି । ତେବେ ପ୍ରକୃତି କୋଳରେ ଏହି ସୁରମ୍ୟ କାରଣ୍ଡ ଶ୍ରୀକ୍ଷେତ୍ର ଆଜି ବି ନିଜର ଦମ୍ଭ ଛାଡ଼ିନାହିଁ । ଓଡ଼ିଶାରେ ଜଗନ୍ନାଥଙ୍କର ଆଦିପୀଠ ନୀଳାଚଳ ଶ୍ରୀକ୍ଷେତ୍ର, କୋରାପୁଟର ଶାବର ଶ୍ରୀକ୍ଷେତ୍ର, ସୁବର୍ଣ୍ଣପୁର ର ପାତାଳୀ ଶ୍ରୀକ୍ଷେତ୍ର, ଅନୁଗୁଳର ଶୈଳ ଶ୍ରୀକ୍ଷେତ୍ର ଭଳି କାଳାହାଣ୍ଡିର କାରୁଣ୍ଡ ଶ୍ରୀକ୍ଷେତ୍ର ଦେଖିଲା ଭଳି, ଦେଖି ସାରିଲେ ଯେ ସବୁ ଦିନ ପାଇଁ ହୃଦୟର କୋଉ ଏକ ନିଭୃତ କୋଣରେ ସାରାଜୀବନ ପାଇଁ ଆଙ୍କି ହେଇଯିବ ଏକ ଅଭୁଲା ଛବି । ଇଚ୍ଛା ହେବ ପ୍ରତି ବର୍ଷ ଥରେ ମୁହଁ ମାରି ଦେଖିଯିବାକୁ ଏଇ ପ୍ରକୃତିର କୋଳରେ ଥିବା ମନୋରମ କାରୁଣ୍ଡ ଶ୍ରୀକ୍ଷେତ୍ରକୁ ।

୧୯୮୩ ମସିହା ମାର୍ଚ୍ଚ ମାସ ୨୮ ତାରିଖ ଦୋଳ ପୂର୍ଣ୍ଣିମା ର ମାହେନ୍ଦ୍ର ମୁହୂର୍ତରେ ସର୍ବ ଧର୍ମ ସମନ୍ୱୟ ଜଗନ୍ନାଥ ସଂସ୍କୃତିକୁ କେନ୍ଦ୍ର କରି ଜଗତ ଆଶ୍ରିତ ଜୟ ଜଗନ୍ନାଥ ଆଶ୍ରମ କଳାହାଣ୍ଡି ଜିଲ୍ଲା ମ.ରାମପୁରର ପଶ୍ଚିମକୁ ସାଢେ ସାତ କିମି ଦୂରବର୍ତି ଉତେଇ କେନାଲ କୂଳରେ ଦୀର୍ଘ ପଥ ଅତିକ୍ରମୀବାର ସ୍ୱପ୍ନଟିଏ ଆଖିରେ ରଖି ଅୟମାରମ୍ଭ ହେଲା । ପାହାଡ଼ ଉପରେ ୬ ଗୋଟି ସ୍ଲାବ୍ ପଡ଼ି ମନ୍ଦିର ନିର୍ମାଣ ହୋଇଛି । ପ୍ରଥମ ମହଲା -ନାମ ମଣ୍ଡପ, ଦିତ୍ୱୀୟ ମହଲାରେ ୩ ଦିଅଁ ବଳଭଦ୍ର, ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀଶୁଦର୍ଶନ । ତୃତୀୟ ମହଲାରେ କେବଳ ବଳଭଦ୍ରଙ୍କ ୬ ଫୁଟ ଉଚ୍ଚର ମୂର୍ତି, ଶିବ ରୂପ ମହାଯୋଗେଶ୍ୱର ମୂର୍ତି, ୫ମ ମହଲାରେ ବଳଭଦ୍ରଙ୍କର କଳକୀ ଅବତାର ମୂର୍ତି, ୬ ମହଲାରେ ଶୂନ୍ୟ ମନ୍ଦିର ରହିଛି । ଯେଉଁ ମହାନ ବ୍ୟକ୍ତିଙ୍କ ଉଦ୍ୟମ ଏବଂ ବଳିଦାନ ରେ ଆଜି ଏହି ଅବାଂଛିତ ଅଖ୍ୟାତ ସ୍ଥାନ ଖ୍ୟାତି ଲାଭ କରି ପ୍ରବଳ ଜନସମାଗମ ହେଉଛି । ତାହାର ପ୍ରତିଷ୍ଠାତା ହେଲେ ବିଷ୍ଣୁ ମୋହନ ଦାଶ ସପତ୍ନୀକ ଏହି ଆଶ୍ରମରେ ଆଜି ବି ରହିଛନ୍ତି ଏବଂ ଆଶ୍ରମର ତଦାରଖ କରୁଛନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।
ବର୍ତମାନ ଆଶ୍ରମ ଓ ମନ୍ଦିରର ସୁରକ୍ଷା ଏବଂ ବିକାଶ ବିପନ୍ନ ହୋଇପଡ଼ିଛି । କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ କୁମନ୍ତ୍ରଣା ଫଳରେ ଆଶ୍ରମ ଅନେକ କ୍ଷତି ସହିଛି, ତଥାପି ଆଶା ଛାଡ଼ିନାହାନ୍ତି ଆଶ୍ରମ କତୃପକ୍ଷ । ତେବେ ଏହି କାରୁଣ୍ଡ ଶ୍ରୀକ୍ଷେତ୍ରର ଉନ୍ନତିକଳ୍ପେ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟିଦେବା ସହିତ ଆଶ୍ରମର ବିକାଶ ପ୍ରତିଯତ୍ନବାନ ହେଲେ ଜଗନ୍ନାଥ ସଂସ୍କୃତିର ବିକାଶ ହେଇପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.