ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସିଦ୍ଧ ସପ୍ତର୍ଷି ମଠ, ଖପ୍ରାଡୁଙ୍ଗୁରିର ଉନ୍ନତିକରଣ ପାଇଁ ମଠ ସୁରକ୍ଷା ସମିତି ତରଫରୁ ଅନୁରୋଧ କରାଯାଇଛି | ଏହି ମର୍ମରେ ଶନିବାର ସକାଳେ ସମିତି କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ଅନୁରୋଧ ପତ୍ର ପ୍ରଦାନ କରିଥିଲେ | ସମିତିର ସଭାପତି ଆଇନଜୀବୀ ଗୌରଚନ୍ଦ୍ର ରାଜପଲିଆ, ସମ୍ପାଦକ ତଥା ଆଦିବାସୀ କଲ୍ୟାଣ ସଙ୍ଘ ବ୍ଲକ ସମ୍ପାଦକ ଧନୀରାମ ଭୋଇ ପ୍ରତିନିଧି ଦଳରେ ସାମିଲ ହୋଇ ଉକ୍ତ ଅନୁରୋଧ ପତ୍ର ପ୍ରଦାନ କରିଥିଲେ | ସଇଁତଲା ଓ ବେଲପଡା ବ୍ଲକ ସୀମାରେ ରହିଥିବା ଏହି ମଠ ଏହାର ଜୈବ ବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହାସିକ ଓ ପୌରାଣିକ ବୈଶିଷ୍ଟ୍ୟ, ସପ୍ତ ଋଷିଙ୍କ ସାଧନା ସ୍ଥଳ ଓ ପାହାଡ଼ରେ ରହିଥିବା ଗୁମ୍ଫା ସମୁହ ପାଇଁ ବେଶ ପ୍ରସିଦ୍ଧ | ବର୍ଷ ତମାମ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ | ଏଠାରେ ଲକ୍ଷ୍ମୀ, ଶିବ, ଜଗନ୍ନାଥଙ୍କ ସମେତ ଅନେକ ଦେବଦେବୀଙ୍କ ମନ୍ଦିର ରହିଥିବା ବେଳେ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା, ଶୀତଳ ଷଷ୍ଠୀ ଓ ଅନ୍ୟାନ୍ୟ ପର୍ବରେ ବେଲପଡା, ମୁରିବାହାଲ, ସଇଁତଲା ବ୍ଲକ ଅଞ୍ଚଳର ଶତାଧିକ ଗ୍ରାମର ଲୋକେ ସାମିଲ ହୋଇଥା’ନ୍ତି | ଏକ ପ୍ରମୁଖ ବଣଭୋଜି ସ୍ଥଳ ଭାବେ ମଧ୍ୟ ଏହା ଜଣାଶୁଣା |ଜିଲ୍ଲାବାସୀଙ୍କ ଏହା ଏକ ପ୍ରମୁଖ ଆସ୍ଥା କେନ୍ଦ୍ର ପାଲଟି ଥିବା ବେଳେ ଏଠାକୁ ଆଜି ଯାଏ ବିଦ୍ୟୁତ ଆଲୋକ ଯୋଗାଇ ଦିଆଯାଇପାରିନାହିଁ | ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକ ବହୁ ଅସୁବିଧା ଭୋଗିଥାଆନ୍ତି | ଟିକ୍ରାପଡ଼ା-ଧୁମାଭଟା ରାସ୍ତାରେ ରହିଥିବା ଦେଓଗାଁ ଛକରୁ ମଠ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣର ଆବଶ୍ୟକତା ରହିଛି | ମଠ ଅଞ୍ଚଳର ସୌନ୍ଦର୍ଯ୍ୟକରଣ, ପାର୍କ, କଲ୍ୟାଣ ମଣ୍ଡପ, ପର୍ଯ୍ୟଟକଙ୍କ ବିଶ୍ରାମ ଗୃହ ନିର୍ମାଣ ସାଙ୍ଗକୁ ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦିଆଯିବା ଆବଶ୍ୟକ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି |





