ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ହରିଶଙ୍କର ପୀଠରେ ଏପ୍ରିଲ ୨୭ ସୋମବାର ଠାରୁ ମେ ୧ ଶୁକ୍ରବାର ଯାଏ ଚାଲିବ ବୈଶାଖ ମେଳା | ପରମ ଆରାଧ୍ୟ ହରିଶଙ୍କରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଆତୁର | ଭକ୍ତଙ୍କ ଭିଡ଼ ଜମିବ | ତେବେ ଟିଟିଲାଗଡ଼- ହରିଶଙ୍କର ସରକାରୀ ବସ ଚାଲୁନଥିବା ଯୋଗୁଁ ଟିଟିଲାଗଡ଼, ସଇଁତଲା, ବେଲପଡା ବ୍ଲକ ଅଞ୍ଚଳବାସୀ ନିରାଶ ହୋଇପଡ଼ିଛନ୍ତି | ଏହି ଅଞ୍ଚଳର ଗରିବ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଅଧିକ ଟଙ୍କା ଖର୍ଚ୍ଚ କରି ଗାଡ଼ି ଭଡ଼ା ଦେଇ ହରିଶଙ୍କର ଯିବାକୁ ଅକ୍ଷମ |ଟିଟିଲାଗଡ଼ରୁ ହରିଶଙ୍କର ଯାଏ ଚାଲୁଥିବା ସରକାରୀ ବସ ଉପରେ ସେମାନେ ଭରସା କରିଥିଲେ | ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଫେବୃଆରୀ ୧୩ ତାରିଖ ଟିଟିଲାଗଡ଼ ଠାରେ ପୂଜାର୍ଚ୍ଚନା ପୂର୍ବକ ଏହି ବସର ଶୁଭାରମ୍ଭ କରିଥିଲେ | ବସଟି ଟିଟିଲାଗଡ଼ରୁ ହରିଶଙ୍କର ଭାୟା ସଇଁତଲା, କରମତଲା, ଟିକ୍ରାପଡ଼ା, ଧୁମାଭଟା, ପାଟଣାଗଡ଼ ଚଳାଚଳ କରୁଥିଲା | ତେବେ ବସଟି କିଛି ଦିନ ଚାଲିବା ପରେ ବନ୍ଦ ହୋଇଯାଇଥିଲା | ପୁନଃ ବସ ଚଳାଚଳ ଦାବି କରି ଏପ୍ରିଲ ମାସ ୧୫ ତାରିଖରେ ସଇଁତଲା, ବେଲପଡା ବ୍ଲକର ସରପଞ୍ଚମାନେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ସଇଁତଲା ବିଡ଼ିଓଙ୍କୁ ପ୍ରଦାନ କରିଥିଲେ | ବସ ଚାଲିବା ନେଇ ପ୍ରତିଶୃତି ମଧ୍ୟ ମିଳିଥିଲା | କିନ୍ତୁ ଏ’ ଯାବତ୍ ବସଟି ଚଳାଚଳ କରିନଥିବାରୁ ଅଞ୍ଚଳବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି | ଉକ୍ତ ବସର ପୁନଃ ଚଳାଚଳ ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି |





