ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ପ୍ରବାସୀ ଶ୍ରମିକମାନଙ୍କର ଅଧିକାର ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରିବା ଦାବିରେ NFITU (ନ୍ୟାସନାଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଟ୍ରେଡ୍ ୟୁନିଅନ୍ସ) ପକ୍ଷରୁ ଓଡିଶା ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ପାଢ଼ୀଙ୍କ ନେତୃତ୍ୱରେ ତେଲଙ୍ଗାନାର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଜି. ବିବେକ ୱେଙ୍କଟସ୍ୱାମୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଅବଗତି ପତ୍ର ଦିଆଯାଇଛି।NFITU ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ପାଢ଼ୀ କହିଛନ୍ତି ଯେ, ତେଲଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ବିଭିନ୍ନ ରାଜ୍ୟରୁ ଆସି କାମ କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ଗୁରୁତର ଅବସ୍ଥାରେ ରହିଛି।ସେ କହିଛନ୍ତି ଯେ, ନିର୍ମାଣ, ଶିଳ୍ପ ଓ ଅନ୍ୟାନ୍ୟ କ୍ଷେତ୍ରରେ ବହୁ ସଂଖ୍ୟକ ଶ୍ରମିକ କାର୍ଯ୍ୟରତ ଥିବା ସତ୍ତ୍ୱେ ତାଙ୍କୁ ଶ୍ରମ ଆଇନ ଅନୁଯାୟୀ ମିଳିବାକୁ ଥିବା ମୂଳଭୂତ ସୁବିଧା ଓ ସୁରକ୍ଷା ସଠିକ୍ ଭାବରେ ମିଳୁନାହିଁ। ବିଶେଷକରି ନ୍ୟାୟସଂଗତ ଦରମା, କାର୍ଯ୍ୟସ୍ଥଳର ସୁରକ୍ଷା, ସ୍ୱାସ୍ଥ୍ୟ ସୁବିଧା ଓ ରହଣିୟା ବ୍ୟବସ୍ଥାରେ ଅନେକ ଅଭାବ ଦେଖାଯାଉଛି।NFITU ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଛି ଯେ, ସମସ୍ତ କାର୍ଯ୍ୟସ୍ଥଳରେ ଶ୍ରମ ଆଇନକୁ କଢ଼ା ଭାବରେ ଲାଗୁ କରାଯାଉ, ଶ୍ରମିକମାନଙ୍କୁ ସମୟମତେ ଏବଂ ଯଥାଯଥ ଦରମା ଦିଆଯାଉ, ସୁରକ୍ଷିତ ପରିବେଶ ନିଶ୍ଚିତ କରାଯାଉ ଓ ସ୍ୱାସ୍ଥ୍ୟ ସେବା ସହିତ ଭଲ ରହଣିୟା ସୁବିଧା ଯୋଗାଇ ଦିଆଯାଉ। ଏହି ସମସ୍ତ ଦାବି ଶୁଣି ମନ୍ତ୍ରୀ ମହୋଦୟ ଗୁରୁତ୍ୱ ସହ କଥାଗୁଡ଼ିକୁ ଗ୍ରହଣ କରିଥିବା ସହିତ ସମ୍ପର୍କିତ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଆଶ୍ୱାସନ ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ଶ୍ରମିକମାନଙ୍କ କଳ୍ୟାଣ ପାଇଁ ପ୍ରତିବଦ୍ଧ ଓ ପ୍ରବାସୀ ଶ୍ରମିକଙ୍କ ଅଧିକାର ସୁରକ୍ଷା ପାଇଁ ପ୍ରୟୋଜନୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ଏହି ପଦକ୍ଷେପକୁ ପ୍ରବାସୀ ଶ୍ରମିକମାନଙ୍କ ହିତରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କରାଯାଇଛି।





