ପ୍ରାତଃ ସ୍ମରଣୀୟ
ସାଧକଗଣଙ୍କୁ
ମନେପକେଇ
ଫୁଲମାଳଟିଏ
ଲମ୍ବେଇ ଦେଇଥାଉ
ତାଙ୍କ ପ୍ରତିମୂର୍ତ୍ତିରେ
ଗର୍ବରେ କହୁ ଆମେ ଓଡ଼ିଆ
ତୁମେ ଦେଇଥିଲ ବୋଲି
ସ୍ୱାଭିମାନର ପରିଚୟ ।
ମିଛ ଅନୁଭବ ସହ
ଖୋଳପା ଭିତରୁ
ଅଣଓଡ଼ିଆ ଡାକ
ଛାପ ଛାଡିବା ଆଗରୁ
ଅତିଶୟ ନିରାଶ ଭିତରେ
ସଚେତନାର ଦୁର୍ଗ ସବୁ
କାଗଜ ଓ କାଳିରେ ଲିପିବଦ୍ଧ
ହୋଇସାରିଛି ବୋଲି
ନିଜେ ନିଜକୁ ସାହେବ ଠାଣିରେ
ଇଂରାଜୀ ବିଦ୍ୟାଳୟର
ଅଧ୍ୟାପକ କରି
ଅଧ୍ୟୟନ ଓ ସାଧନା ଭିତରେ
ଭାଷାର ଶବ୍ଦାର୍ଥକୁ
ଖୋଜି ହୋଇଥାଏ
ସଂପନ୍ନ ଓ ସ୍ୱଚ୍ଛଳ ଲେଖକଟିଏ
ବିଭାଜିତ ସ୍ୱାଭିମାନର
ପରିଚୟ ନେଇ ।
ଭାଷାପ୍ରୀତି ଓ ମାତୃଭାଷାର
ମମତା ଆଜି ସ୍ରୋତହୀନ
ଇଂରାଜୀ ଆନୁଗତ୍ୟ ଭିତରେ
ଲୁପ୍ତ ଲେଖକର ଲେଖା
କୁଳୀନ ପରମ୍ପରା
ସଂସ୍କୃତିର ପରିଚୟ ନେଇ
ମହାଭାରତ ରାମାୟଣ
ଓ ମାତୃବୋଧ ନେଇ
ସେସବୁକୁ
ପ୍ରସାଦ ଭାବୁଥିବା
କ୍ରମଶଃ ପାଠକ ଭିତରେ
ବଞ୍ଚିଥିବା ଓଡ଼ିଆଣୀଟିଏ
ଇଂରାଜୀର ଦୁର୍ବଳତା ଭିତରୁ
ବାହାରି ପାରେନାହିଁ
ତଥାପି
ପ୍ରାଣରେ ଓଡ଼ିଆକୁ
ନେଇ ଗର୍ବ କରେ
ଓଡ଼ିଶାର ମୁଁ ଉତ୍କଳ ପୁତ୍ର
ଆଜି ଏପ୍ରିଲ ପହିଲା
ପାଳନ କରି ନୀରବେ ନିଃସଙ୍ଗ
ନିର୍ଜନ ଇଲାକାରେ ।