‘ବାରିକ ବୃତ୍ତିକୁ ଟ୍ରେଡ୍ ଭାବେ ଗ୍ରହଣ କରି ତାଲିମ ଦିଅନ୍ତୁ ସରକାର’
କଳାହାଣ୍ଡି,୩୦/୧୨: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ମାଣ୍ଡେଲ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ନିଖିଳ ଉତ୍କଳ ବାରିକ ସମିତି କଳାହାଣ୍ଡି ନର୍ଲା ଅଂଚଳ ଶାଖାର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ମହେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପଶ୍ଚିମ ଓଡ଼ିଶା ବାରିକ ମହାସଂଘର ସଭାପତି କଙ୍ଗାଳୁ ବାରିକ ଉଦଘାଟକ ଭାବେ ଯୋଗଦେଇ ସରକାର ବାରିକ ବୃତ୍ତିକୁ ଏକ ଟ୍ରେଡ୍ ଭାବେ ଗ୍ରହଣ କରି ତାଲିମ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଏଥିରେ ସ୍ୱଜାତୀୟ ପ୍ରଥମ ମହିଳାନେତ୍ରୀ ମାଣ୍ଡେଲ ସରପଞ୍ଚ ମନୋରମା ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ଅଗ୍ରାଧିକାର ଦେଉଥିବା ସମାଜ ସର୍ବଶ୍ରେଷ୍ଠ ବୋଲି ମତବ୍ୟକ୍ତ କରିଥିଲେ।
ସମିତିର ଜିଲ୍ଲା ତଥା ରାଜ୍ୟ ସଂପାଦକ କମ୍ବୁପାଣି ପରିଚ୍ଛା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରାଜ୍ୟ ଜନସଂଖ୍ୟାର ୬% ବାରିକ ଜାତିର ଲୋକ ଥିବାରୁ ସରକାର ରାଜନୈତିକ କ୍ଷେତ୍ରରେ ମଧ୍ୟ ୬% ଭାଗିଦାରୀ ଦେବାକୁ ଦାବି କରିଥିଲେ। ସମାଜସେବୀ ଡିଙ୍ଗର ବାରିକ ମଂଚ ପରିଚାଳନା କରିଥିବା ବେଳେ ବାରିକ ସମିତିର ଜିଲ୍ଲା ସଭାପତି ନିର୍ମଳ ଚନ୍ଦ୍ର ବାରିକ ଅତିଥି ପରିଚୟ ଓ ସହ-ସଂପାଦକ ଭଗବାନ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ।