୨୦୧୯ – ୨୦୨୦ ବର୍ଷର ଅବକାରୀ ରାଜସ୍ୱ ଲକ୍ଷ୍ୟରୁ ୯୫ପ୍ରତିଶତ ରାଜସ୍ୱ ଆଦାୟ

ଧାର୍ଯ୍ୟ ଲକ୍ଷ ୧୮ କୋଟି ରୁ ମାର୍ଚ୍ଚ ସୁଦ୍ଧା ୧୭କୋଟି ୧୨ଲକ୍ଷ ୭୯ହଜାର ୮୮୯ଟଙ୍କା ଆଦାୟ

ରାୟଗଡ,୧୫/୪: ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ତରଫରୁ ରାୟଗଡ ଜିଲ୍ଳା ଅବକାରୀ ବିଭାଗକୁ ଜିଲ୍ଳାରୁ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ଅବକାରୀ ରାଜସ୍ୱ
ଆଦାୟକୁ ୧୮କୋଟି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ତେବେ ଚଳିତ ଆର୍ଥିକ ବର୍ଷର ମାର୍ଚ୍ଚ ଶେଷ ସୁଦ୍ଧା ୧୭କୋଟି ୧୨ଲକ୍ଷ ୭୯ହଜାର ୮୮୯ଟଙ୍କା ରାଜସ୍ୱ ଆଦାୟ କରାଯାଇଥିବା ନେଇ ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରା ସୂଚନା ଦେଇଛନ୍ତି ।

ଏ ନେଇ ମିଳିଥିବା ସୂଚନା ପ୍ରକାରେ ଚଳିତ ଆର୍ଥିକ ବର୍ଷ ୧୮କୋଟି ଅବକାରୀ ରାଜସ୍ୱ ଆଦାୟରେ କେବଳ ମାର୍ଚ୍ଚ ମାସରେ ହିଁ ୫କୋଟି ୨୯ଲକ୍ଷ ୧୧ହଜାର ୫୩୮ଟଙ୍କା ଆଦାୟ ହୋଇଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା ୫କୋଟି ୫୧ଲକ୍ଷ ୯ହଜାର ୮ଶହ ଟଙ୍କା ଆଦାୟ ହୋଇଥିଲା । ତେବେ ଚଳିତ ବର୍ଷ ରାଜସ୍ୱ ଲକ୍ଷ୍ୟ ୧୮କୋଟିରୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୧୭,୧୨,୭୯,୮୮୯ ଟଙ୍କା ଆଦାୟ କରାଯାଇ ୯୫.୧୫ପ୍ରତିଶତ ସଫଳତା ମିଳିଥିବା ବେଳେ ଏହା ଗତବର୍ଷ ୧୫,୪୯,୪୭,୧୨୭ ଟଙ୍କା ଆକାରରେ‌ ୮୬.୦୮ ପ୍ରତିଶତ ହୋଇପାରିଥିଲା । ଯାହାକି ଗତ ଆର୍ଥିକ ବର୍ଷ ୨୦୧୮-୧୯ ତୁଳନାରେ ଚଳିତ ବର୍ଷ ୧୦.୫୪ ପ୍ରତିଶତ ଅଧିକା ରାଜସ୍ୱ ମାର୍ଚ୍ଚ ସୁଦ୍ଧା ଆଦାୟ ହୋଇପାରିଛି ।

ରାୟଗଡ ଅବକାରୀ ଜିଲ୍ଳାରେ ଥିବା ୨୯ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ, ୧୦ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ମଧ୍ୟରୁ ୮ଟି , ଗୋଟିଏ ମିଲିଟାରୀ କ୍ୟାନେଟିନ୍‌ (ସିଆରପିଏଫ), ଗୋଟିଏ ବିଅର ପାର୍ଲର, ୧୪ଟି ସରକାରୀ ବାହାର ଭାଟି ମଦ ଦୋକାନ, ୫୮ଟି ବାହାର ଭାଟି ମଦ ଶାଖା ଦୋକାନ, କୁମୁତଲପେଟା ଠାରେ ଥିବା ଗୋଟିଏ ବୋଟଲିଙ୍ଗ୍ ୟୁନିଟ୍‌, ଗୋଟିଏ ଇଣ୍ଡୁଷ୍ଟ୍ରିଆଲ ୟୁନିଟ ୟୁଜିଙ୍ଗ ମୋଲାସେସ୍ (ଗୁଡ) ଓ ଦେବଦଳା ଠାରେ ଥିବା ଓଏସବିସି ଡିପୋଟ୍ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ନବୀକରଣ କରିସାରିଛନ୍ତି ।

ରାୟଗଡ ଜିଲ୍ଳା ଅବକାରୀ ବିଭାଗର ରାୟଗଡ, କାଶିପୁର, କଲ୍ୟାଣସିଙ୍ଗପୁର, ଗୁଣପୁର, ଗୁଡାରୀ, ବିଷମକଟକ ଅବକାରୀ ଥାନା ଗୁଡିକରେ କର୍ମଚାରୀ ସାଙ୍ଗକୁ ପେଟ୍ରୋଲିଂ କରିବା ପାଇଁ ସରକାରୀ ଗାଡିର ଅଭାବ ସ୍ୱତେ ଜିଲ୍ଳାରେ ଚୋରା ମଦ ବିକ୍ରି କାରବାରକୁ ଯଥା ସମ୍ଭବ ବନ୍ଦ କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ସେହିପରି ଅନେକ ଅବକାରୀ ଥାନା ଜିଲ୍ଳାରେ ଭଡା ଘରେ ଚାଲିଥିବା ଦେଖିବାକୁ ମିଳିଛି । ତେବେ ସରକାରଙ୍କ ତରଫରୁ ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳାରେ ଚୋରା ମଦ ବ୍ୟବସାୟକୁ ରୋକିବା ଦିଗରେ ଜିଲ୍ଳା ଅବକାରୀ ବିଭାଗକୁ ପେଟ୍ରୋଲିଂ ପାଇଁ ଗାଡି ବ୍ୟବସ୍ଥା କରାଗଲେ ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯାଇ ଜିଲ୍ଳାକୁ ସଂପୂର୍ଣ୍ଣ ଚୋରା ମଦ ବ୍ୟବସାୟରୁ ମୁକ୍ତ କରିହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

________________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.