ଲାଞ୍ଜିଗଡ଼,୩୧/୫: ଲାଞ୍ଜିଗଡ଼ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ର ପୁର ଗ୍ରାମ ସିମିଳିଭଟ୍ଟା ପଡ଼ାର ସୋଲାର ନଳକୂପକୁ ୨ଟି ପରିବାର ନିଜ କବଳରେ ରଖିଥିବାରୁ ପଡ଼ାର ଅନ୍ୟ ପରିବାରମାନେ ପାନୀୟ ଜଳ ନପାଇ ନାହିଁ ନଥିବା ଅସୁବିଧା ଭୋଗୁଥିବା ପରି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି।
ସୂଚନା ମୁତାବକ ବଳଭଦ୍ର ପୁର ଗ୍ରାମର ସିମିଳିଭଟ୍ଟା ପଡ଼ାରେ ପ୍ରାୟ ୧୦ରୁ ଅଧିକ ପରିବାର ଏହି ସୋଲାର ନଳକୂପ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ବେଳେ ପ୍ରାୟ ୯ ମାସ ହେବ ଗ୍ରାମର ଦୁଇ ଗୋଟି ପରିବାର ନଳକୂପଟିକୁ ନିଜ କବଜାରେ ରଖିଛନ୍ତି। ସେମାନେ ଏଥିରୁ ନିଜ ଘରକୁ ପାଇପ ଯୋଗେ ସଂଯୋଗ କରୁଥିବା ଯୋଗୁଁ ପଡାର ଲୋକେ ନଳକୂପ ଠାରୁ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ପ୍ରକାଶ କରିଛନ୍ତି ସିମିଳିଭଟ୍ଟା ପଡାବାସୀ। ନଳକୂପର ୨ ଗୋଟି ପଏଣ୍ଟ ଅଚଳ ହୋଇଥିବା ବେଳେ ଆଉ ଦୁଇ ଗୋଟି ପଏଣ୍ଟରେ ଏମାନେ ନିଜ ନିଜ ଘରକୁ ପାଇପ ସଂଯୋଗ କରିବା ଯୋଗୁଁ ପାନୀୟ ଜଳପାଇଁ ୨ କିଲୋମିଟର ଦୂରକୁ ଯାଇ ନାଳ କଡରେ ଏକ ବାଲିଛୁଆ କରି ସେଠାରୁ ପାଣି ଆଣି ବ୍ୟବହାର କରୁଥିବା ପଡା ଲୋକେ ପ୍ରକାଶ କରିଛନ୍ତି।
ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ପଡାବାସୀ । ଏନେଇ ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପଚାରିବାରୁ ମୁଁ ଜଳଯୋଗାଣ ଯନ୍ତ୍ରୀଙ୍କ ସହିତ କଥା ହୋଇ ଆସନ୍ତା କାଲି ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଲୋକଙ୍କୁ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା କରିବି ବୋଲି ପ୍ରକାଶ କରିଥିଲେ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in






