ରାୟଗଡ,୯/୮: ମହାମାରୀ କରୋନା କଟକଣା ଯୋଗୁଁ ଜନଜାତି ବହୁଳ ରାୟଗଡ ଜିଲ୍ଳାରେ ଚଳିତ ବର୍ଷ ପାଳନ ହୋଇପାରିଲା ନାହିଁ ବିଶ୍ୱ ଜନଜାତି ଦିବସ । ଜିଲ୍ଳାରେ ଜନଜାତି ସଂପ୍ରଦାୟର ପର୍ବପର୍ବାଣି ଠାରୁ ଆରମ୍ଭ କରି ସେମାନଙ୍କ ଜୀବନ ଜୀବିକା, ପାରମ୍ପରିକ କଳା ଓ ସଂସ୍କୃତି, ଐତିହ୍ୟ, ନାଚଗୀତ, ଭାଷା ଓ ବେଶଭୂଷାକୁ ନେଇ ଆର୍ନ୍ତଜାତୀୟ ସ୍ତରରେ ରାୟଗଡ ଜିଲ୍ଳା ନିଜର ପରିଚୟ ସୃଷ୍ଟି କରିପାରିଛି । ଆଧୁନିକ ଡିଜିଟାଲ ଯୁଗରେ ଏବେ ବି ପ୍ରକୃତି ସହ ନିଜକୁ ହଜାଇ ଦେଇ ପାହାଡ ଜଙ୍ଗଲରେ ରହୁଥିବା ସରଳ ନିରୀହ ଜନଜାତି ଲୋକଙ୍କ ବିଶ୍ୱାସ ଓ ଭଲ ବ୍ୟବହାର ସେମାନଙ୍କୁ ସମସ୍ତଙ୍କ ନିଜର କରିଥାଏ । ତେବେ ଜନଜାତିମାନଙ୍କ ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ୧୯୯୪ ମସିହା ଅଗଷ୍ଟ ୯ତାରିଖରେ ବିଶ୍ୱ ଜନଜାତି ଦିବସ ପାଳନ କରାଯିବାକୁ ଘୋଷଣା କରାଯାଇଛି । କିନ୍ତୁ ଚଳିତ ବର୍ଷ ସାରା ବିଶ୍ୱରେ ମହାମାରୀ କରୋନା ପ୍ରକୋପ ଯୋଗୁଁ ଏହି ଦିବସକୁ ପାଳନ କରାଯାଇ ନାହିଁ । ରାୟଗଡ ଜିଲ୍ଳାରେ ମଧ୍ୟ ଏହି ଦିବସକୁ ପାଳନ କରାଯାଇ ନ ଥିବା ବେଳେ ସୋସିଆଲ ମିଡିଆ ଯୋଗେ ଆଦିବାସୀ ନେତା ଆପଲାସ୍ୱାମୀ କାଡ୍ରକା ସମସ୍ତ ଜନଜାତି ବର୍ଗର ଲୋକଙ୍କୁ ବିଶ୍ୱ ଜନଜାତି ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ବେଳେ ମହାମାରୀ କରୋନା ସଂକ୍ରମଣକୁ ବ୍ୟାହାତ କରିବା ନିମନ୍ତେ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଅନୁସରଣ କରି ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ କରି ବାହାରିବା ଓ ଜରୁରୀ ନ ଥିଲେ ଘରୁ ନ ବାହାରିବା ପାଇଁ ସେ ନିବେଦନ କରିଛନ୍ତି । ପ୍ରକାଶ ଥାଉ କି, ଗତବର୍ଷ ରାୟଗଡ ଜିଲ୍ଳା ଆଦିବାସୀ ସମାଜ ତରଫରୁ ସ୍ଥାନୀୟ ରେଳବାଇ ଅଭିନନ୍ଦନ ହଲ ଠାରେ ମହାସମାରୋହରେ ବଡ ଧରଣର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in