ଆଡାବାଇ ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା: ସମାଧାନ ନହେଲେ ବ୍ଲକ କାର୍ଯ୍ୟାଳୟ ଘେରାଉ ଚେତାବନୀ

ରାମନାଗୁଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତର ଆଡାବାଇ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି। ଏନେଇ ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଆସି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ ଆଡାବାଇ ଗ୍ରାମରେ ୨୫ପରିବାର ବସବାସ କରୁଥିବା ବେଳେ ଗ୍ରାମରେ ଗୋଟିଏ ନଳକୂପ ରହିଛି। ରାଜ୍ୟ ସରକାର ସବୁ ଘରକୁ ପାନୀୟ ଜଳ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବାବେଳେ ଏଠାରେ ଦେଖାଦେଇଛି ବ୍ୟତିକ୍ରମ।ଗ୍ରାମାଞ୍ଚଳରେ ଲୋକଙ୍କ ପାଇଁ ବସୁଧା ଯୋଜନାରେ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି। ସରକାରଙ୍କ ପକ୍ଷରୁ ଗ୍ରାମରେ ପାନୀୟଜଳ ସୁବନ୍ଦୋବସ୍ତ ପାଇଁ ସୋଲାର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ସମ୍ପୂର୍ଣ୍ଣ ହୋଇଥିବାବେଳେ ମରାମତି ଅଭାବରୁ ଦୀର୍ଘ ଦିନ ଧରି ଅକାମୀ ହୋଇ ପଡିରହିଛି। ଏନେଇ ୩ଥର ପାନୀୟଜଳ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଗ୍ରାମରେ ଗୋଟିଏ ମାତ୍ର ନଳକୂପ ରହିଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରି ଧରି କମ୍ ପରିମାଣରେ ପାଣି ବାହାରୁଥିବାରୁ ଗ୍ରାମବାସୀଙ୍କ ତୃଷା ମେଣ୍ଟାଇପାରୁନି। ନିକଟରେ ପୋଖରୀ ଓ ଜଳାଶୟ ଆଦି ଗୁଡ଼ିକରେ ପାଣି ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଗ୍ରାମବାସୀଙ୍କ ନିମନ୍ତେ ଖାଇବା ଓ ଗାଧେଇବା ପାଇଁ କେବଳ ଗୋଟିଏ ନଳକୂପ ହିଁ ଭରଷା।

ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ଏକ ଏଜେନ୍ସି ଏହାର ମରାମତି ଦାୟିତ୍ୱ ନେଇଥିବାରୁ ଯଥାଶୀଘ୍ର ଏହାର ମରାମତି ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସେହିପରି ବ୍ଲକର ଅନେକ ସ୍ଥାନରେ ସରକାରଙ୍କ ପକ୍ଷରୁ ସୋଲାରପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବାବେଳେ ମରାମତି ଅଭାବରୁ ଅକାମୀ ହୋଇ ପଡ଼ିରହିଛି। ଏନେଇ ମରାମତି ଦିଗରେ ପଦକ୍ଷେପ ପାଇଁ ସଂପୃକ୍ତ ଏଜେନ୍ସି ସହ ଯୋଗାଯୋଗ କରାଯାଇଥିବାବେଳେ ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବା ସହ ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।ଏନେଇ ଆଜି ରାମନାଗୁଡା ସାଂସଦ ପ୍ରତିନିଧି ଜି ପ୍ରସାଦ ରାଓ, ବ୍ଲକ କଂଗ୍ରେସ ସଭାପତି ବାଞ୍ଛାନିଧି ବେହେରା, ତାଙ୍ଗୁଡୁ ଶ୍ରୀଧର, ସୁଧୀର ଗୁରୁ, ସାନିଆ ଶବର, ଶୋଭାପାଲାକାଙ୍କ ସମେତ ଆଡାବାଇ ଗ୍ରାମବାସୀ ୧୦ଦିନମଧ୍ୟରେ ସମସ୍ୟାର ସମାଧାନ ନହେଲେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବାକୁ ଚେତାବନୀ ଦେଇଛନ୍ତି।

ରାମନାଗୁଡାରୁ ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.