ଜିଲ୍ଳା ଶିକ୍ଷା ବିଭାଗର ଡେପୁଟେସନ ପ୍ରସଙ୍ଗ: ୨୦୨୧ ବର୍ଷର ଡେପୁଟେସନ ରଦ୍ଦ ପରେ ୨୦୨୦ର ଡେପୁଟେସନ ହେବ କି ରଦ୍ଦ ?

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାରେ ଗତ ୨୦୨୧ ଜାନୁୟାରୀ ପହିଲାରୁ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରାଥିମକ ବିଦ୍ୟାଳୟ ଓ ହାଇସ୍କୁଲ ସ୍ତରରେ ହୋଇଥିବା ସମସ୍ତ ଡେପୁଟେସନରେ ଅନିୟମିତତା କାରଣ ଦେଖାଇ ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଗତ ଏପ୍ରିଲ ୧୬ ତାରିଖରେ ଏହାକୁ ରଦ୍ଦ କରାଗଲା ବୋଲି ନିର୍ଦ୍ଦେଶ ଜାରି କରି ଶିକ୍ଷା ବିଭାଗର ଚଂଚକତାକୁ ବହୁ ସୁନ୍ଦର ଭାବେ ଘୋଡାଇ ଦେଇଥିବା ଶିକ୍ଷକ ମହଲରେ ଚର୍ଚ୍ଚା ହେଉଛି । ହେଲେ ୨୦୨୧ ପୂର୍ବରୁ ଗତବର୍ଷ ହୋଇଥିବା ଡେପୁଟେସନକୁ କାହିଁକି ରଦ୍ଦ କରାଯାଇ ନାହିଁ ବୋଲି ଏବେ ଅନେକ ଶିକ୍ଷକଶିକ୍ଷୟତ୍ରୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ରାୟଗଡ ବ୍ଳକ ଶିକ୍ଷା ମଣ୍ଡଳରେ ଗତ ୨୦୨୦ ବର୍ଷରେ ସିଙ୍ଗିପୁଟ ଉନ୍ନତୀ ଉଚ୍ଚ ବିଦ୍ୟାଳୟରୁ ଗୁରୁଠିଗୁଡା ପ୍ରାଥମିକ ବିଦ୍ୟାଳୟ, କେରଡା ଏସଏସଡି ହାଇସ୍କୁଲରୁ ଟିକରପଡା ପ୍ରାଥମିକ ବିଦ୍ୟାଳୟ, ଜପାଖାଲ ଆଶ୍ରମ ସ୍କୁଲ ରୁ ସଦରରେ ଥିବା ଫରେଷ୍ଟ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାଣାବେସୁ ପ୍ରାଥମିକ ବିଦ୍ୟାଳୟରୁ ଜେମାଦେଇପେଣ୍ଠ କ୍ଳଷ୍ଟର ଗୋଟିଏ ସ୍କୁଲକୁ ସମେତ କାଂଚକାବାଲାସା ପ୍ରାଥମିକ ବିଦ୍ୟାଳୟରୁ ବିଲେଷୁ ହାଇସ୍କୁଲ, ଇରକୁବାଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ରାୟଗଡ ପୈାରାଂଚଳରୁ ଜୟଗୁରୁ ପ୍ରାଥମିକ ବିଦ୍ୟାଳୟ, ମେଟାବାଡି ପ୍ରାଥମିକ ବିଦ୍ୟାଳୟରୁ ମିରାବାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଖିଲିମିସିଗୁଡା ପ୍ରାଥିମିକ ବିଦ୍ୟାଳୟରୁ ମେଟୁ କେରଡା ପ୍ରାଥିମକ ବିଦ୍ୟାଳୟ ଏବଂ ବୈରାଗୀ ହାଲୁଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ରାୟଗଡ ପୈାରାଂଚଳର ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅନେକ ଶିକ୍ଷକଶିକ୍ଷୟତ୍ରୀଙ୍କୁ ମଧ୍ୟ ଡେପୁଟେସନରେ ଅଣାଯାଇଛି ।


ଏବେ ପ୍ରଶ୍ନ ଉଠୁଛି ଯେ, ଚଳିତ ବର୍ଷରେ ହୋଇଥିବା ସମସ୍ତ ଟେପୁଟେସନକୁ ଯଦି ରଦ୍ଧ କରାଯାଇଛି ତାହାହେଲେ ଗତବର୍ଷର ଉକ୍ତ ଡେପୁଟେସନକୁ କାହିଁକି ରଦ୍ଧ କରାଯିବ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି । ଗତ ୨୦୨୦ ମସିହା ଅକ୍ଟୋବର ମାସରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କର ପଦୋନ୍ନତି ହୋଇଥିଲା । ପଦୋନ୍ନତି ପାଇଥିବା ଶିକ୍ଷକମାନେ ନିଜ ମୂଳ ବିଦ୍ୟାଳୟରେ କାର୍ଯ୍ୟ କରିବା କଥା କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଯେଉଁମାନେ ଲେବଲ ଭିଏ ରୁ ଲେଭଲ ଭିବିକୁ ପଦୋନ୍ନତି ପାଇ ମଧ୍ୟ ଡେପୁଟେସନରେ ଥିବା ବିଦ୍ୟାଳୟରେ କାର୍ଯ୍ୟ କରିବା ସହିତ ମୂଳ ବିଦ୍ୟାଳୟରୁ ଦରମା ପାଉଥିବା ଜଣାପଡିଛି । ଉକ୍ତ ବିଷୟରେ ଜିଲ୍ଳା ଶିକ୍ଷାଧିକାରୀ ଓ ମଣ୍ଡଳ ଶିକ୍ଷାଧିକାରୀ ଅବଗତ ଥିଲେ ସୁଦ୍ଧା କାହିଁକି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ତାହା ସନ୍ଦେହ ଘେରରେ । ସେହିପରି କେବଳ ରାୟଗଡ ବ୍ଳକରେ ହିଁ ନୁହେଁ ଜିଲ୍ଳାର ସମଗ୍ର ବ୍ଳକରେ ହୋଇଥିବା ଡେପୁଟେସନଗୁଡିକରେ ଅନିୟମିତତା ଥିବା ଶିକ୍ଷକମହଲରୁ ପ୍ରକାଶ ପାଉଛି । ତତସହିତ ଶିକ୍ଷା ବିଭାଗର ନିୟମକୁ ଉଂଲଘନ କରାଯାଇ ଗୋଟିଏ ବ୍ଳକରୁ ଜିଲ୍ଳାର ଅନ୍ୟ ବ୍ଳକକୁ ମଧ୍ୟ ଶିକ୍ଷକମାନଙ୍କୁ ଡେପୁଟେସନ କରାଯାଇଥିବା ଜଣାପଡିଛି । ରାୟଗଡ ଜିଲ୍ଳାରେ ଗତ ୨ବର୍ଷରେ ହୋଇଥିବା ସମସ୍ତ ଡେପୁଟେସନରେ ବିପୁଳ ପରିମାଣରେ ହାତଗୁଂଜା କାରବାର ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହାର ସବିଶେଷ ତଦନ୍ତ କରାଗଲେ ସମସ୍ତ ସତ୍ୟତା ଲୋକଲୋଚନକୁ ଆସି ପାରିବ ବୋଲି ବୁଦ୍ଧିଜୀବି ଓ ଅଭିଭାବକଙ୍କ ମହଲରେ ଚର୍ଚ୍ଚା ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.