ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ପ୍ରତିହତ କରିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନମାନଙ୍କ ଉଦ୍ୟମ ଜାରି ରହିଛି। ସଂକ୍ରମଣରେ ରୋକ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ବିବାହ ସମାରୋହ ନିମନ୍ତେ ପରିବାର ସଦସ୍ୟଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିବାହ ଉତ୍ସବ ଥିଲେ ବର ଓ କନ୍ୟା ଉଭୟଙ୍କ ପରିବାରର ସଦସ୍ୟମାନେ କୋଭିଡ୍ ସଂକ୍ରମିତ କି ନାହିଁ ସେଥିପାଇଁ ନିଜର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଦାଖଲ କରିବେ। ଯଦି ପରିବାରର କୌଣସି ସଦସ୍ୟଙ୍କର କୋଭିଡ୍ ପଜେଟିଭ୍ ଥିବା ଜଣାପଡ଼ିଲା, ତା’ହେଲେ ବିବାହ ଉତ୍ସବ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିବା ଜଣାପଡ଼ିଛି।