ସମ୍ମାନର ସହ କରୋନା ସଂକ୍ରମିତଙ୍କ ଶବ ସତ୍କାର କଲା ସ୍ବର୍ଗଦ୍ବାର ସେବା ସଂଗଠନ

କଳାହାଣ୍ଡି: ଆଜି କେସିଙ୍ଗା ବ୍ଲକ କୋକୋଡମାଲର ଜଣେ କରୋନା ସଂକ୍ରମିତଙ୍କ ଶବ ସତ୍କାର କରିଛି ସ୍ଵର୍ଗଦ୍ଵାର ସେବା ସଂଗଠନ। ସଂଗଠନର ମନୋଜ କୁମାର ପଟ୍ଟନାୟକ, ସଜ୍ଜନ କୁମାର ଅଗ୍ରୱାଲ, ମନୋଜ କୁମାର ଷଡଙ୍ଗୀ, ମିତ୍ରସେନ ଭୋଇ, ସରୋଜ ସାହୁ, ମୁଣିଙ୍ଗ ସରପଞ୍ଚ ଟଙ୍କଧର ନାୟକ, ସଞ୍ଜୀବ ନାୟକ, ହେମନ୍ତ କୁମାର ପ୍ରମୁଖ ପ୍ରଶାସନର ଉପସ୍ଥିତିରେ ଶବ ସତ୍କାର କରିଥିଲେ।


ପ୍ରାପ୍ତ ସୂଚନା ଆଧାରରେ ଉତ୍କେଲା ପଞ୍ଚାୟତ କୋକୋଡମାଲ ଗ୍ରାମର ଇନ୍ଦ୍ରମଣି ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିବା ଓ ଶବସତ୍କାର ହୋଇପାରୁନଥିବା ନେଇ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ସ୍ବର୍ଗଦ୍ବାର ସଂଗଠନକୁ ସୂଚନା ଦେଇଥିଲେ। ଖବରପାଇ ସଂଗଠନର ମୂଖ୍ୟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ତାଙ୍କର ଟିମ୍ କୁ ନେଇ ଉକ୍ତ ଗାଁରେ ପହଞ୍ଚି ଶବକୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ସତ୍କାର କରିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶ୍ରୀଯୁକ୍ତ ଓଡୁ, ଅତିରିକ୍ତ ତହସିଲଦାର ରୁଦ୍ରମୋହନ ନାୟକ ଓ ପୁଲିସର ଉପସ୍ଥିତିରେ ପ୍ରଶାସନ ପ୍ରଦତ୍ତ ପିପିଇ କିଟ୍ ପରିଧାନ କରି ସଂଗଠନର ସଦସ୍ୟ ମାନେ ଅତ୍ୟନ୍ତ ସୁରକ୍ଷିତ ଭାବରେ ଶବ ସତ୍କାର କରିଥିଲେ।


ଏଠାରେ ସୂଚନାଯୋଗ୍ୟ ଯେ, ଏହା ସ୍ଵର୍ଗଦ୍ଵାର ସେବା ସଂଗଠନର ଦ୍ବିତୀୟ ଶବ ସତ୍କାର। ପୂର୍ବରୁ ସଂଗଠନର କାର୍ଯ୍ୟକର୍ତ୍ତା ମାନେ କରୋନା ମୃତକଙ୍କ ଶବ ସତ୍କାର କରିବା ପାଇଁ କେସିଙ୍ଗା, ମ.ରାମପୁର ଓ କର୍ଲାମୁଣ୍ଡା ବିଡ଼ିଓଙ୍କୁ ଅନୁରୋଧ କରିଥିଲେ। ଆଜି କେସିଙ୍ଗା ବ୍ଲକର ଜଣେ କରୋନା ମୃତକଙ୍କ ଶବ ସତ୍କାର କରିଛି ଏହି ସଂଗଠନ। ବିପଦ ସମୟର ବନ୍ଧୁ ସାଜିଥିବା ସ୍ଵର୍ଗଦ୍ଵାର ସେବା ସଂଗଠନର ଏହି ମହତ କାର୍ଯ୍ୟଧାରା ଯୋଗୁଁ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ସ୍ଵର୍ଗଦ୍ଵାର ସେବା ସଂଗଠନର ଉଚ୍ଚ ପ୍ରଶଂସା କରିଛନ୍ତିି। ବିପତ୍ତି ବେଳାରେ ସ୍ବର୍ଗଦ୍ବାର ସେବା ସଂଗଠନ ତା’ର ମାନବିକତା ପ୍ରଦର୍ଶନ କରିଛି ବୋଲି ବିଡ଼ିଓ ଶ୍ରୀଯୁକ୍ତ ଓଡୁ ମତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସଂପୃକ୍ତ ମୃତକ ପରିବାର ସଂଗଠନର କାର୍ଯ୍ୟକର୍ତ୍ତାମାନଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.