ମରୁଡିଜନିତ ବୀମାରାଶି ପାଇବାରୁ ବହୁ ଯୋଗ୍ୟ ଚାଷୀ ବଞ୍ଚିତ

ପୁନଃ ବିଚାର ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଅନୁରୋଧ ପତ୍ର ପ୍ରଦାନ କଲେ ଚାଷୀ

କଳାହାଣ୍ଡି, (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲମୁଣ୍ଡା ବ୍ଲକରେ ଗତ ୨୦୨୦ ଖରିଫ ଧାନ ଚାଷ ବର୍ଷାଭାବ ହେତୁ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ବ୍ଲକର ଅନେକ ଅଞ୍ଚଳର ଚାଷୀ ପ୍ରଭାବିତ ହୋଇଥିଲେ। ଶେଷ ସମୟରେ ଜଳାଭାବ ହେତୁ ଉତେଇ କେନାଲର ଟେଲ ଏରିଆରେ ଥିବା ଗାଁ ଗୁଡିକୁ କେନାଲ ପାଣି ପହଞ୍ଚି ନ ପାରିବାରୁ ଧାନ ଅମଳ ପ୍ରଭାବିତ ହୋଇଥିଲା। ତେବେ ଫସଲ ବୀମା କରିଥିବା ବ୍ଲକର କିଛି ଅଞ୍ଚଳର ଚାଷୀମାନଙ୍କ ଏକାଉଣ୍ଟକୁ ବୀମା ସହାୟତା ରାଶି ଜମା ହେଉଥିବା ଜଣା ପଡିଛି। କିନ୍ତୁ ଦୁଃଭାର୍ଗ୍ୟର କଥା ଅନେକ ଅଂଚଳ ଏଥିରୁ ବାଦ ପଡିଥିବାରୁ ବହୁ ଯୋଗ୍ୟ ଚାଷୀ ସହାୟତା ପାଇବାରୁ ବଞ୍ଚିତ ଥିବା ପୁଟିଗାର ଚାଷୀ ଗୁପ୍ତେଶ୍ଵର ସାହୁ ଅଭିଯୋଗ କରିଛନ୍ତି। କିନ୍ତୁ ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ କର୍ଲମୁଣ୍ଡା ବ୍ଳକର ରିଞ୍ଜା, ସରଗୁଲ ମାଲପଡା, ଯୋରାଡବରା, ସାପଲହରା ଓ ତେରେସିଂହା ପଂଚାୟତ ଏଇ ତାଲିକାରେ ରହିଛି । ଅନ୍ୟପକ୍ଷରେ ବୀମା ରାଶିକୁ ନେଇ ମଧ୍ୟ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ରିଞ୍ଜାର ଜଣେ ଚାଷୀଙ୍କ ଆକାଉଣ୍ଟକୁ ବୀମାରାଶି ସହାୟତା ବାବଦରେ ମାତ୍ର ୨ ଟଙ୍କା ୭୯ପଇସା ଆସିଥିବା ଜଣାଯାଇଛି। ଏହା ଚାଷୀଙ୍କ ପାଇଁ ଉପହାସ ନୁହେଁ ତ ବୋଲି ଚର୍ଚ୍ଚା ହେଉଛି। ସେଇପରି କ୍ରପ୍ଟକଟିଂ କିପରି କରାଯାଇ ମରୁଡି କ୍ଷତିଗ୍ରସ୍ତ ତାଲିକା କରାଯାଇଛି, ତାହା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଏନେଇ ମଙ୍ଗଳବାର ଜିଲାପାଳଙ୍କ ଉଦେଶ୍ୟ ରେ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠିଙ୍କ ଜରିଆରେ ବୀମାରାଶିର ପୁନଃ ତଦନ୍ତ ପାଇଁ ଚାଷୀ ମାନେ ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.