କଳାହାଣ୍ଡି, (ନରୋତ୍ତମ ସେଲମା): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସଟଡାଉନ ଓ ଲକଡାଉନ ମଧ୍ୟରେ ରହିଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ ହିତାଧିକାରୀ ମାନେ ଅଯଥାରେ ତହସିଲ ଅଫିସ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କିମ୍ବା ଜନସେବା କେନ୍ଦ୍ରକୁ ନ ଦୌଡିବା ପାଇଁ ସରକାର ଅଭିନଵ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ରାଜସ୍ୱ ସେବା ଏବେ ଆମ ଗାଁରେ’ ସ୍ଲୋଗାନ ଦେଇ ଆରମ୍ଭ ହୋଇଛି ଏକ ନୂତନ କାର୍ଯ୍ୟକ୍ରମ। ଯାହାର ନାଁ ହେଲା ରାଜସ୍ବ ସେବା ରଥ। ଏବେ ବିବିଧ ପ୍ରମାଣପତ୍ର ପାଇଁ ଆଉ ଯିବାକୁ ପଡ଼ିବନି ଅଫିସ, ରାଜସ୍ବ ବିଭାଗ ଘରେ ପହଞ୍ଚାଇ ଦେବେ ପ୍ରମାଣପତ୍ର।
ଏହି କ୍ରମରେ ମଙ୍ଗଳବାର ଦିନ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠି ବ୍ଲକର ଡୁକେରମାଲ, ଭଟାପଳା, ବୋରପଦର ଓ ରିଞ୍ଜା ଗ୍ରାମକୁ ଯାଇ ବିବିଧ ପ୍ରମାଣପତ୍ର ବଣ୍ଟନ କରିବା ସହ ଲୋକଙ୍କ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରିଥିଲେ। ଲୋକେ ଗାଁରେ ରାଜସ୍ବ ବିଭାଗ ଅଧିକାରୀମାନଙ୍କୁ ପାଇ ଖୁସିବ୍ୟକ୍ତ କରିବାସହ ପ୍ରମାଣପତ୍ର ପାଇ ତହସିଲଦାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅନ୍ୟପକ୍ଷରେ ଲକଡାଉନ ସମୟରେ ଗାଁ ଗାଁ, ଘରକୁ ଘର ଯାଇ ସେବା ପ୍ରଦାନ ସହ ରାଜସ୍ବ ମାମଲା ବୁଝୁବାରୁ ବିଭିନ୍ନ ମହଲରୁ ତହସିଲଦାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି।