ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୨ ଦିନ ବିଳମ୍ବରେ ଗୁରୁବାର ଦିନ କେରଳ ଛୁଇଁଛି। ଏହାର ପ୍ରଭାବରେ କେରଳର ଦକ୍ଷିଣ ଭାଗରେ ବର୍ଷା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଉତ୍ତର-ପୂର୍ବ ବଙ୍ଗୋପସାଗର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଜୁନ୍ ୧୧ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଅବପାତରେ ପରିଣତ ହୋଇ ପ୍ରବଳ ବର୍ଷା କରାଇବ। ଏହାର ପ୍ରଭାବରେ ୧୦ ତାରିଖ ରାତିରୁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଏବଂ ୧୨ରୁ ୧୪ ତାରିଖ ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ପ୍ରତିବର୍ଷ ଜୁନ୍ ୧୦ରୁ ୧୨ ତାରିଖ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚଥାଏ। ଚଳିତ ଥର ମଧ୍ୟ ସମାନ ତାରିଖରେ ପହଞ୍ଚିବା ଆଶା ରହିଛି। ଜୁନ୍ରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ଦକ୍ଷିଣ ପଶ୍ଚିମ ମୌସୁମୀକୁ ଅଧିକ ସକ୍ରିୟ କରାଇବ। ଆସନ୍ତା ୧୦ରୁ ୧୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶାକୁ ଛୁଇଁବା ସହ ସମଗ୍ର ରାଜ୍ୟକୁ ଆଚ୍ଛାଦିତ କରିବ।





