କରୋନା ଯୁଦ୍ଧରେ ନାରୀଙ୍କ ଭୂମିକା ଅତୁଳନୀୟ

ଭୁବନେଶ୍ୱର: ସମ୍ପ୍ରତି କରୋନା ମହାମାରୀ ସମୟରେ କେବଳ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହେ ବରଂ ସାମାଜିକ, ମାନସିକ ଏବଂ ପାରିବାରିକ ବିକାଶରେ ନାରୀର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ । ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା କାର୍ଯ୍ୟଳୟ ଏବଂ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ହୋଇଥିବା “କରୋନା ଲଢେଇରେ ନାରୀର ଭୂମିକା” ଶୀର୍ଷକ ୱେବିନାରରେ ଏଭଳି ମତବ୍ୟକ୍ତ କରିଛନ୍ତି ବିଶେଷଜ୍ଞ ।

ଆନନ୍ଦିନୀ ଶତପଥିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଠ ଅତିଥି ଭାବେ ଯୋଗଦେଇ ଭୁବନେଶ୍ଵରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାର ନିର୍ଦ୍ଦେଶକ ଡ.ଗୀତାଞ୍ଜଳୀ ପଦ୍ମାନାଭନ କହିଛନ୍ତି ଅନ୍ୟ ରାଜ୍ୟ ତୁଳନାରେ କରୋନାକୁ ନିୟନ୍ତ୍ରଣ କରିବାରେ ଓଡିଶା ବହୁଳ ଭାବେ ସକ୍ଷମ ହୋଇଛି । ମହାମାରୀ ସମୟରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ବିଶେଷ ଧ୍ୟାନ ଦେବା ସଙ୍ଗେ ସାମାଜିକ ସ୍ତରରେ ନାରୀ ମାନଙ୍କ ପ୍ରତି ପରିବର୍ତ୍ତନ ଆଣିବା ଉଚିତ ବୋଲି ସେ କହିଛନ୍ତି । ଅନ୍ୟତମ ବକ୍ତା ଭାବେ ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାର ଡାଃ. ଟିନା ଗୁପ୍ତା କହିଛନ୍ତି ଗ୍ରାମାଞ୍ଚଳରେ ଆଶା, ଏଏନଏମ, ଅଙ୍ଗନୱାଡ଼ି କର୍ମୀ ଭଳି ଭୂମିକାରେ ମହିଳା ମାନେ ଯୋଗ ଦେଇ ଏ ମହାମାରୀକୁ ନିୟନ୍ତ୍ରଣ କରିବାରେ ସମ୍ମୁଖ ଯୋଦ୍ଧା ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପରାମର୍ଶଦାତା ପୂଜାଫୁଲ ପଟ୍ଟନାୟକ କହିଛନ୍ତି ସମ୍ଭାବ୍ୟ କରୋନାର ତୃତୀୟ ଲହରୀକୁ ରୋକିବାକୁ କେବଳ ନାରୀ ନୁହେ ପୁରୁଷ ମାନଙ୍କୁ ମଧ୍ୟ ଦାୟିତ୍ଵବାନ ହେବ ଜରୁରୀ । ସେ ଆହୁରି କହିଛନ୍ତି କରୋନା ସମୟରେ ମହିଳା ମାନଙ୍କର ଅବଦାନକୁ ଶ୍ରେୟ ଦେବା ସଙ୍ଗେ ସେମାନଙ୍କ ତ୍ୟାଗ ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ଆବଶ୍ୟକ ।

ଆଲୋଚନାରେ ଅଂଶଗ୍ରହଣ କରି ଅଧ୍ୟାପିକା ଡା. ସୁଜାତା ସେନାପତି ଏବଂ ସମାଜ ସେବୀ ଅଳକନନ୍ଦା ମିଶ୍ର କହିଛନ୍ତି ସୁସ୍ଥ ସମାଜ ଗଠନ କରିବାରେ ନାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଓଡିଶା ପ୍ରାନ୍ତର ଅତିରିକ୍ତ ମହନିର୍ଦେଶକ ଶ୍ରୀ ରାଜେନ୍ଦ୍ର ଚୌଧୁରୀ କହିଛନ୍ତି ନାରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜର ଶ୍ରେଷ୍ଠ ଅବଦାନ ଦେବା ସଙ୍ଗେ ସଙ୍ଗେ ପରିବାର ବିକାଶରେ ଅତୁଳନୀୟ ଅବଦାନ କରିପାରିଛି। ନାରୀ ମାନଙ୍କ ବିକାଶ ପାଇଁ ସରକାରୀ ଯୋଜନାରେ ପରିବର୍ତ୍ତନ ଆଣିବା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳର ମହିଳା ଏବଂ ପ୍ରବାସୀ ମହିଳା ଶ୍ରମିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ନିରନ୍ତର ଭାବେ ପହଞ୍ଚିବା ଉଚିତ। ଆଲୋଚନାରେ ଅଂଶଗ୍ରହଣ କରି ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ନାରୀ ପୁରୁଷ ଉଭୟଙ୍କ ମଧ୍ୟରେ ସମଭାଗୀ ଓ ସହଯୋଗୀ ମନୋଭାବ ରହି କାର୍ଯ୍ୟ କଲେ କରୋନାକୁ ପ୍ରତିହତ କରିବାରେ ସକ୍ଷମ ହେବା ବୋଲି ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.