ମୈାସୁମୀ ବର୍ଷାକୁ ନେଇ ସଜାଗ ପୈାର ପ୍ରଶାସନ

● ନାଳନର୍ଦ୍ଦମାକୁ ସଫା କରିବାକୁ ଦିଆଯାଉଛି ପ୍ରାଥମିକତା -ପୈାର ନିର୍ବାହୀ ଅଧିକାରୀ ରାୟଗଡ

ରାୟଗଡ, (ଶିବ ନାରାୟଣ ଗୈାଡ): ଚଳିତ ବର୍ଷ ଜୁନ୍ ଦ୍ୱିତୀୟ ସପ୍ତାହରେ ମୈାସୁମୀ ବର୍ଷା ଓଡିଶାକୁ ଛୁଇଁ ସାରିଛି । ଫଳରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ପାଣିପାଗ ଓ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ସୂଚନା ପ୍ରକାରେ ଏଥର ରାଜ୍ୟରେ ସ୍ୱାଭାବିକ ବର୍ଷା ପରିମାଣ ରହିବ ବୋଲି ଅନୁମାନ କରାଯାଇଛି । ଏହି କ୍ରମରେ ରାୟଗଡ ପୈାର ପ୍ରଶାସନ ପକ୍ଷରୁ ମଧ୍ୟ ବର୍ଷା ପୂର୍ବରୁ ସହରର ୨୪ଗୋଟି ୱାର୍ଡର୍ରେ ପ୍ରତି ସପ୍ତାହରେ ନାଳ ନର୍ଦ୍ଦମାଗୁଡିକୁ ସଫେଇ କର୍ମଚାରୀମାନେ ସଫା କରି ଆସୁଛନ୍ତି । ବିଶେଷ କରି ସହରର ହରିଜନ ସାହି ଓ ଅଣ୍ଡର ଗ୍ରାଉଣ୍ଡ ରାସ୍ତା ନିକଟ କୁକୁଡା ଫାର୍ମ ରାସ୍ତାରେ ବର୍ଷା ପାଣି ଜମା ରହୁଥିବାରୁ ସେ ସ୍ଥାନଗୁଡିକରେ ମଧ୍ୟ ଥିବା ନାଳନର୍ଦ୍ଦମାଗୁଡିକୁ ସଫା କରିଦିଆଯାଇଛି ବୋଲି ପୈାର ସଂସ୍ଥାର ପରିମଳ ନିରୀକ୍ଷକ ଆଇ. ବାଲାରାଜୁ ସୂଚନା ପ୍ରଦାନ କରିଛନ୍ତି ।


ସେହିପରି ସାମାନ୍ୟ ବର୍ଷା ହେଲେ ଡିଆରଡିଏ ଛକ ଓ ଏସବିଆଇ ଛକରେ ନାଳ ପାଣି ଜମା ରହୁଥିବା ପୂର୍ବରୁ ଅଭିଯୋଗ ହେଉଥିବା ବେଳେ ଉକ୍ତ ସମସ୍ୟାକୁ ମଧ୍ୟ ସମାଧାନ କରାଯାଇଥିବା ବେଳେ ଚଳିତ ବର୍ଷ ମୈାସୁମୀ ବର୍ଷାରେ ଯଦି ପ୍ରବଳ ବର୍ଷା ସମ୍ଭାବନା ରହିବ ତାହାହେଲେ ଅଗ୍ନିଶମ କେନ୍ଦ୍ର ସହ ମିଳିତ ଭାବେ ଜରୁରୀକାଳନୀ ସ୍ଥିତିରେ କାର୍ଯ୍ୟ କରାଯିବା ସହ ସହରରେ ନାଳ ନର୍ଦ୍ଦମା ସଫା ହେଉ ନ ଥିବା ଅଭିଯୋଗକୁ ପ୍ରାଥମିକତା ଦିଆଯାଇ ଯୁଦ୍ଧକାଳୀନ ଭିତିରେ ସମାଧାନ କରାଯିବ ବୋଲି ପୈାର ନିର୍ବାହୀ ଅଧିକାରୀ ୟାସିଦ ବିଲାଲ ଅହମ୍ମଦ ପ୍ରକାଶ କରିଛନ୍ତି । ଏଥିସହ ରାୟଗଡ ସହରରେ ବର୍ତମାନ ଅନେକ ସ୍ଥାନରେ ରାସ୍ତାଘାଟ ଓ ଡ୍ରେନ୍ ପାଇଁ ଟେଣ୍ଡର ଅନୁଯାୟୀ କାର୍ଯ୍ୟ ଜାରି ରହିଥିବା ମଧ୍ୟ କହିଛନ୍ତି । ତେବେ ରିଙ୍ଗରୋଡ୍ ସ୍ଥିତ ପ୍ରେମ ପାହାଡକୁ ଯିବା ମୁଖ୍ୟ ରାସ୍ତାରେ ଅସରାଏ ବର୍ଷାରେ ରାସ୍ତା ଉପରେ ବର୍ଷା ଓ ନାଳ ପାଣି ଭାସୁଥିବାରୁ ଉକ୍ତ ସାହିବାସିନ୍ଦାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଉକ୍ତ ରାସ୍ତାର ଟେଣ୍ଡର କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଗାମୀ ସପ୍ତାହରୁ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ଅହମ୍ମଦ ସୂଚନା ଦେଇଛନ୍ତି ।


ରାୟଗଡ ଜିଲ୍ଳାରେ ଆଜି ମୋଟ ୧୭୪ମିଲିମିଟର ବର୍ଷା ପରିମାଣ ରେକର୍ଡ କରାଯାଇଥିବା ବେଳ ଶତକଡା ୧୫.୮୨ପ୍ରତିଶତ ବର୍ଷା ହୋଇଥିବା ଜଣାପଡିଛି । ଏହି କ୍ରମରେ ରାୟଗଡ ଜିଲ୍ଳାର ବିଷମକଟକ ଓ ମୁନିଗୁଡା ବ୍ଳକକୁ ବାଦ ଦେଲେ ରାୟଗଡରେ ୧୬.୮, କୋଲନରାରେ ୧୯.୬, କଲ୍ୟାଣସିଂହପୁରରେ ୫.୨, କାଶିପୁରରେ ସର୍ବାଧିକ ୭୪.୩, ଗୁଣପୁରରେ ୪ମିଲିମିଟରର ବର୍ଷା ହୋଇଥିବା ବେଳେ ପଦ୍ମପୁରରେ ୨୨.୨, ଗୁଡାରୀରେ ୧୦.୪, ରାମନାଗୁଡାରେ ୧୭.୨ ଓ ଚନ୍ଦ୍ରପୁର ବ୍ଳକରେ ୪.୩ମିଲିମିଟର ବର୍ଷା ହୋଇଥିବା ନେଇ ଜିଲ୍ଳା ଜୁରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.