କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ପଲମ ଗ୍ରାମ ପଞ୍ଚାୟତର ମହଗାଁରେ ଦେଖିବାକୁ ମିଳିଛି ଅମାନବୀୟ ଘଟଣା । ହରିଜନ ଓ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତିଙ୍କ ୧୫ ଏକର କପା ଚାଷରେ ଗାଁ ଲୋକେ ଗୋରୁପଲ ପୁରେଇ ଧ୍ୱଂସି ଦେଲେ ୧୫ ଏକର କପା ଚାଷ । ଆଖି ପିଛୁଳାକେ ଖିନଭିନ ହୋଇଗଲା ଗରୀବ ଚାଷୀଙ୍କ କପା କ୍ଷେତ । ଘଟଣା ଘଟିଛି ଶନିବାର ୨୪/୭ ଦିନ ୯.୩୦ ମି ସମୟରେ । ଖବରରୁ ଜଣା ପଡିଛି ଯେ, ପଲମ ଗ୍ରାମ ପଞ୍ଚାୟତର ମହଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ମାତ୍ର ଦୁଇ କି.ମି. ଦୁର ମହଗାଁ କଲୋନୀ ପଡାରେ ସରକାରୀ ଜମି ୪ ଡିସିମିଲ ଲେଖାଏଁ ସରକାରଙ୍କ ତରଫରୁ ପାଇ ବସବାସ କରୁଛନ୍ତି ୮ ଗୋଟି ପରିବାର । ମୁକେଶ ହରିଜନ, ଛବି ହରିଜନ, ଛଟୁ ଛୁରା, ଟିକେଧର ହରିଜନ, ଅଭିରାମ ହରିଜନ, କଷ୍ଟ ଧରୁଆ ପ୍ରମୁଖଙ୍କ ପରିବାର । ଏମାନେ ଗତ ୨୨ ବର୍ଷ ତଳେ ଘର ଡିହ ପାଇ କୁଡିଆ ଘର ଖଣ୍ଡେ ଲେଖାଏଁ କରି ବାପା ଅଜା ଅମଳରୁ ସେଇଠି ବସବାସ କରି ଆସୁଛନ୍ତି । ଏବଂ ଘର ନିକଟରେ ରହିଥିବା ସରକାରୀ ପଡିଆ ଜମିରେ ଦୀର୍ଘ ବର୍ଷ ଧରି ଚାଷ କରି ଆସୁଛନ୍ତି । ଏବଂ ଏ ବାବଦକୁ ପ୍ରତିବର୍ଷ ସରକାରଙ୍କୁ ଜବର ଦଖଲ କରିଥିବା ଜମି ବାବଦକୁ ସରକାରୀ ନିୟମାନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ୧୨,୦୦ ରୁ ୧୫,୦୦ ଟଙ୍କା ଲେଖାଏଁ ଟଙ୍କା ପଇଠ କରି ପଲମ ଆରଆଇଙ୍କ ଠାରୁ ସରିଦ୍ ପାଇଛନ୍ତି । ଚଳିତ ବର୍ଷ ମଧ୍ୟ କଲୋନୀ ପଡାରେ ବସବାସ କରୁଥିବା ଉକ୍ତ ଆଠ ଜଣ ବ୍ୟକ୍ତି ଜବର ଦଖଲ କରି ସରକାରଙ୍କୁ ଟଙ୍କା ପଇଠ କରି କପା ଚାଷ କରିଥିବା ୮ ଜଣ ଅନୁସୂଚୀତ ଜାତି ଓ ଜନଜାତିର ବ୍ୟକ୍ତି ଚାଷ କରିଥିଲେ । ବଡ କଷ୍ଟରେ ଧାର କରଜ କରି ବିହନ ଓ ସାର କିଣି ଔଷଧ ମଧ୍ୟ ପ୍ରୟୋଗ କରିଥିଲେ । ଏକରକୁ ୧୫ ରୁ ୨୦ ହଜାର ଟଙ୍କା ଧାର କରଜ କରି କପା ଚାଷରେ ଲଗେଇଥିଲୁ । ହୀନ ବୃଷ୍ଟି ସତ୍ୱେ କପା ଗଛ ଗୁଡିକ ଗୋଟିଏ ଫୁଟ ଲେଖାଏଁ ବଢି ସାରିଥିଲା । ଗରୀବ ଚାଷୀମାନେ ଅନେକ ଆଶା କରିଥିଲେ ଚଳିତ ବର୍ଷ କପା ବିକି ଦୁଇ ପଇସା ପାଇ କୁଟୁମ୍ବ ପ୍ରତିପୋଷଣ ସହ ଧାର କରଜ ସୁଝିବେ । ହେଲେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ପ୍ରରୋଚନାରେ ପଡି ଗାଁ ଲୋକେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ଆୟୁଧ କରି ଶନିବାର ଦିନ କପା ଚାଷରେ ଉଦେ୍ଦଶ୍ୟ ମୂଳକ ଭାବରେ ଗୋରୁପଲ ପଶେଇ ଦେଇ କପା ଚାଷକୁ ଧ୍ୱଂସି ଦେଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ କହୁଛନ୍ତି ସରକାରୀ ଜମିରେ ତୁମେ କାହିଁକି ଚାଷ କରୁଛ? ଆମ ଗାଇ ଗୋରୁ କୋଉଠି ଚରିବେ ବୋଲି । ହେଲେ ଚାଷ କରିଥିବା ବ୍ୟକ୍ତି ମାନଙ୍କ କହିବା କଥା ସରକାରଙ୍କ ଠାରେ ଟଙ୍କା ପଇଠ କରି ଆମେ ଚାଷ କରି ଆସୁଥିଲୁ । ଗାଁ ବାଲେ ଚାଷ କରିବା ପୂର୍ବରୁ ଆମକୁ ମନା କରିଦେଇଥାନ୍ତେ । ଯଦି ଆମେ ଗ୍ରାମବାସୀଙ୍କ କଥାରେ ଅମାନିଆ ହୋଇଥାନ୍ତୁ ତାହେଲେ ଆମେ ଅର୍ଥଦଣ୍ଡ ପାଇଥିଲେ ଶୋଭା ପାଇଥାନ୍ତା । ଆମକୁ ଆରଆଇ ଅଫିସ୍ ତରଫରୁ ମଧ୍ୟ ସରକାରୀ ଜମିରେ ଚାଷ ପାଇଁ ବାରଣ କରାଯାଇ ପାରିଥାନ୍ତା । ତା ମଧ୍ୟ କରାଗଲା ନାହିଁ । ଆମେ ଅନେକ ଅନୁନୟ ବିନୟ ହୋଇ କହିଲୁ ଚାଷ ତ କରି ସାରିଛୁ । ଯଦି ଆପଣ ମାନେ ମନା କରୁଛନ୍ତି ତା ହେଲେ ଆସନ୍ତା ବର୍ଷରୁ ଆଉ ଚାଷ କରିବୁ ନାହିଁ । ଏ ବର୍ଷକ ଆମକୁ କ୍ଷମା କରନ୍ତୁ ବୋଲି ଅନେକ କହିଲୁ ହେଲେ ଆମ ଗୁହାରୀ ଗ୍ରାମବାସୀ ଶୁଣିଲେ ନାହିଁ । ଆମ ଗରୀବ ଚାଷୀଙ୍କ କପା ଫସଲରେ ଗୋରୁପଲ ପୁରେଇ କପା ଚାଷ ଧ୍ୱଂସି ଦେଲେ ବୋଲି ଦୁଃଖରେ ଭାଙ୍ଗିପଡି କହିଛନ୍ତି ମୁକେଶ ହରିଜନ । ପଲମ ଆରଆଇଙ୍କ ଠାରେ ଗୁହାରୀ କଲେ । ପଲମ ଫାଣ୍ଡିରେ ଲେଖିକି ଜଣାଇଲେ । ହେଲେ ଆମେ ଏବିଷୟରେ କିଛି କରିପାରିବୁ ନାହିଁ ବୋଲି ଆର୍ଆଇ ଏବଂ ଫାଣ୍ଡି ଅଧିକାରୀ କହିଥିବା ପ୍ରକାଶ କରିଛନ୍ତି ଅଭିଯୋଗ କାରୀ ।

ଏହାର ପ୍ରଭାବ ପୁଣି ଦେଖିବାକୁ ମିଳିଛି ରବିବାର ଦିନ । ଉକ୍ତ ଗ୍ରାମ ପଞ୍ଚାୟତର ରାସ୍ତାମାଲ ଓ ଖଇରମାଲରେ ମଧ୍ୟ କିଛି ବ୍ୟକ୍ତିଙ୍କ କପା ଚାଷରେ ପଲମ ଗ୍ରାମବାସୀ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ନେଇ ସେଇଠି ମଧ୍ୟ ୧୨ ରୁ ୧୫ ଏକର କପା ଚାଷରେ ଗୋରୁପଲ ପୁରେଇ ଧ୍ୱଂସି ଦେଇଥିବା ଖବରରୁ ଜଣାପଡିଛି । କିଛି କୁଜି ନେତା ଶ୍ରେଣୀୟ ବ୍ୟକ୍ତି ନିଜ ସ୍ୱାର୍ଥ ସାଧନ ପାଇଁ ଗ୍ରାମବାସୀ ଓ ଏସଏସଜି ଗୋଷ୍ଠିର ମହିଳାଙ୍କୁ ଆୟୁଧ କରି ଏପରି କାଣ୍ଡ ଭିଆଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଭୁଲ, କିମ୍ବା ନୀରିହ ଚାଷୀଙ୍କ ଭୁଲ ରହୁଛି ତାହା ତଦନ୍ତ ସାପେକ୍ଷ । ହେଲେ ପ୍ରଶ୍ନ ଉଠୁଛି ଏଭଳି ଅମାନବୀୟ କାଣ୍ଡ ଘଟିଲା କାହିଁକି? ଏଥିପାଇଁ ଦାୟୀ କିଏ?

ଏ ବିଷୟରେ ପଲମ ଫାଣ୍ଡି ଅଧିକାରୀ ଶ୍ରୀ ପଣ୍ଡାଙ୍କ ମତାମତ ନେବାରୁ ସେ କହିଲେ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଏଣୁ ଆମେ ଦୁଇ ଗୋଷ୍ଠୀ ନାମରେ ୧୦୭ ଦଫାରେ କେସ ବୁକ କରାଯାଇଛି । ଏବଂ ତହସିଲଦାର ଙ୍କୁ ଅବଗତ କରିଛୁ । ସେ ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

 
                                        
 
 
         
 
         
 
         
 
        


