ଅସହ୍ୟ ହେଉଛି ଜନନୀ ଯନ୍ତ୍ରଣା: ୩କିମି ଚାଲିଲେ ପୁଣି ଜଣେ ଗର୍ଭବତୀ

ଗୁଣପୁର, ୨୦|୮ (ଦିଲୀପ କୁମାର ପଣ୍ଡା): ସୁରକ୍ଷିତ ମାତୃତ୍ବ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। କିନ୍ତୁ ଥମୁନାହିଁ ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନାହିଁ ଆମ୍ବୁଲାନ୍ସ, ବାଧ୍ୟହୋଇ ଗର୍ଭବତୀ ମହିଳା ଦିର୍ଘ ୩କିମି ଚାଲି ଚାଲି ଆସିବାପରେ ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଆଗୁଳ ପଞ୍ଚାୟତର ପଞ୍ଚୁବାଇ ଗାଁରେ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ପଞ୍ଚୁବାଇ ଗାଁର ପୁରୁଷୋତ୍ତମ ଗୁଲୁଡାକାଙ୍କ ସ୍ତ୍ରୀ କୁମାରି ସାରକାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆଶା ଦିଦିଙ୍କ ସହାୟତାରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ଯିବା ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିନଥିଲା, ତେଣୁ ବାଧ୍ୟ ହୋଇ ଚାଲିବାକୁ ପଡିଥିଲା ଗର୍ଭବତୀ ମହିଳାଙ୍କୁ। ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଅନେକ ଗାଁକୁ ବିକାଶ ନାଁରେ ହରିଲୁଟ ହେଉଥିବା ବେଳେ ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି। ଗମନାଗମନ କ୍ଷେତ୍ରରେ ବହୁତ ପଛରେ ପଡ଼ିଯାଇଛି ଏହି ଅଞ୍ଚଳ। ଅନେକ ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ଜନସାଧାରଣ ବିଶେଷକରି ଗର୍ଭବତୀ ଓ ରୋଗୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏସବୁ ପ୍ରତି ସରକାର ଓ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.