କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ସାେନପୁର ଜିଲ୍ଲା ତରଭା ନିକଟସ୍ଥ ବଘିଆ ଗାଁର ବସ୍ ଡ୍ରାଇଭର ଭାବେ କାର୍ଯ୍ୟରତ ଆମ୍ବେଦକରବାଦୀ ଛବିଳ ମହାନନ୍ଦଙ୍କୁ ବରଗଡ଼ ଜିଲ୍ଲା ଭେଡେନ ନିକଟସ୍ଥ ସଂକେଟ୍ ଗାଁର ପ୍ରୀତିରଞ୍ଜନ ସ୍ବର ନାମକ ଜଣେ ବ୍ୟକ୍ତି ବସ୍ ମଧ୍ୟରେ ଧମକଚମକ ଓ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହିତ ଜାତିଆଣ ଆକ୍ଷେପକୁ ନେଇ ସାରା ରାଜ୍ୟରେ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଏପରିକି ଛବିଳ ଆମ୍ବେଦକରବାଦ ଉପରେ ବିଶ୍ବାସ ରଖିବା କ’ଣ ଏତେ ଜଘନ୍ୟ ଅପରାଧ ଯେ ତାଙ୍କୁ ଏପରି ହୀନିମାନ କରାଗଲା, ଏପରିକି ପାକିସ୍ଥାନ ପଳାଅ ବୋଲି ଧମକ ଦିଆଗଲା ବୋଲି ସାରା ରାଜ୍ୟରେ ଅସନ୍ତୋଷ ବ୍ରୁଦ୍ଧି ପାଉଥିବାବେଳେ ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କଳାହାଣ୍ଡି ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡିରେ ଏତଲା ଦାୟର କରାଯାଇଛି। ସେହି କ୍ରମରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶାଖାର ସଭାପତି ଜଗଦୀଶ ବେନିଆଁ, ଜିଲ୍ଲା ସଂପାଦକ ଶ୍ରୀବତ୍ସ ତାଣ୍ଡିଙ୍କ ତତ୍ତ୍ବାବଧାନରେ ଫେଡେରେସନର ପ୍ରତିଷ୍ଠାତା ସଦସ୍ୟ ସୁଶୀଲ କୁମାର ବାଗ, ସୋସିଆଲ୍ ମିଡିଆ ଇନଚାର୍ଜ ଗୋପାଳଦାସ ମହାନନ୍ଦ, ବ୍ଲକ ସଦସ୍ୟ କ୍ଷୀରସାଗର ମହାନନ୍ଦ ଓ ମୋହନ ବାଗଙ୍କ ନେତ୍ରୁତ୍ବରେ ଏକ ପ୍ରତିନିଧି ଦଳ ନର୍ଲା ଥାନାରେ ଏ ସଂପର୍କରେ ଏକ ଏତଲା ଦାୟର କରିଛନ୍ତି।

ସେହିପରି ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡ଼େରେସନ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶାଖା ପକ୍ଷରୁ ଉପଦେଷ୍ଟା ରାମସ୍ବାମୀ ନାଏକ, ଜୟଶଙ୍କର ନାଏକ, ବ୍ଲକ ଶାଖାର ସଭାପତି ରଘୁନାଥ ଦୀପ, ବରିଷ୍ଠ ସଦସ୍ୟ ପ୍ରଦୀପ ଛତ୍ରିଆ, ଚକିତ ତାଣ୍ଡି, ସଦସ୍ୟ ଧରମ କୁମାର ତାଣ୍ଡି, ଯଦୁ କୁମାର, ଦିଲଦିଓ ଘର୍ଡା, ପୁଷ୍ପ ତାଣ୍ଡି, ସଦାନନ୍ଦ ବାଗ, ଲକ୍ଷ୍ମୀକାନ୍ତ ନାଏକ ପ୍ରମୁଖ ନର୍ଲା ଥାନାରେ ଏ ସଂପର୍କିତ ଏତଲା ଦାୟର କରିଛନ୍ତି। ଏହାସହିତ ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ବସ୍ ଡ୍ରାଇଭରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ନର୍ଲା ଥାନା ଦାୟିତ୍ବରେ ଥିବା ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ କୁମାର ଗୁରୁ ଉଭୟ ଏତଲା ଗ୍ରହଣ କରିବା ସହିତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।





