ମା ମଝିଘରିଆଣୀଙ୍କ ବାଲିଯାତ୍ରା ସଂପନ୍ନ

ଗୁଣପୁର, (ଦିଲୀପ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋସାଇଁ ଗୁଲୁମୁଣ୍ଡାଠାରେ ମା ମଝିଘରିଆଣୀଙ୍କ ବାଲିଯାତ୍ରା ଉଦଯାପିତ ହୋଇଯାଇଛି।ଉଦଯାପନୀ ଦିବସରେ ଯଥା ରୀତିନୀତି ଅନୁଯାୟୀ ମାଙ୍କ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନରେ ମୁଖ୍ୟ ପୂଜକ ମାଙ୍କ ଖଣ୍ଡାକୁ ଧରି ନଗର ପରିକ୍ରମା ସହ କଣ୍ଟା ଦୋଳିରେ ଝୁଲିଥିଲେ। ବର୍ଷ ତମାମ ଭଲ ଫସଲ କାମନା କରି ମାଙ୍କ ନିକଟରେ ଏହି ପୂଜା କରାଯାଇଥାଏ। ମାଙ୍କ ଏହି ବାଲିଯାତ୍ରା ନିମନ୍ତେ ଭାଦ୍ରବ ଦ୍ବିତୀୟା ତିଥିରେ ନଦୀରୁ ବାଲି ସଂଗ୍ରହ କରାଯାଇଥାଏ। ବାଲିସଂଗ୍ରହ ପରେ ମନ୍ଦିର ପାର୍ଶ୍ବରେ ଏହାକୁ ସ୍ଥାପନ କରାଯାଇ ନଅ ପ୍ରକାରର ଶସ୍ୟ ବିହନ ବୁଣାଯାଇଥାଏ। ପଞ୍ଚମୀ ତିଥିରେ ମାଙ୍କ ଖଣ୍ଡା ପୂଜା ସହ ଦଶମୀ ତିଥିରେ ନବ୍ନାନ ଲାଗି ହୋଇଥାଏ। ଏହା ମଧ୍ୟରେ ପ୍ରତିଦିନ ଦୀପ, ଧୂପ, ଝୁଣା ଦେଇ ବିହନ ବୁଣାଯାଇଥିବା ସ୍ଥଳକୁ ପୂଜାର୍ଚ୍ଚନା କରାଯାଇଥାଏ।


ବାଲିଯାତ୍ରା ସମାପନ ପୂର୍ବରୁ ପାଖାପାଖି ବୁଣାଯାଇଥିବା ବିହନକୁ ଶେଷ ଦିନରେ ଲାଗି କରାଯିବାର ପରମ୍ପରା ରହିଛି। ପୂଜା ସମୟ ମଧ୍ୟରେ ବିହନ ଭଲ ହୋଇଥିଲେ ଚଳିତବର୍ଷ କୃଷି କାର୍ଯ୍ୟ ଭଲ ଫସଲ ଅମଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କୋଭିଡ଼ କଟକଣା ଯୋଗୁଁ ମାଙ୍କ ବାଲିଯାତ୍ରାରେ ଜନ ସମାଗମ ହୋଇନଥିଲା। ଆଖପାଖ ଗ୍ରାମର ଶ୍ରଦ୍ଧାଳୁ ସମେତ କେବଳ ପୂଜକ ପୂଜାରେ ସାମିଲ ହୋଇଥିଲେ। ଦୀର୍ଘ ଦିନ ଧରି ସେନାପତି ପରିବାର ଦ୍ବାରା ପୂଜା କାର୍ଯ୍ୟ କରାଯାଉଥିବା ବେଳେ ମାଙ୍କ ଯାତ୍ରା ଓ ସମସ୍ତ ରୀତିନୀତିକୁ ମୁଖ୍ୟ ପୂଜକ ସଞ୍ଜୟ କୁମାର ନାୟକ(ବେଜୁ), କିଶୋର ଚନ୍ଦ୍ର ରଥ, ଗୁପ୍ତ ପ୍ରସାଦ ମିଶ୍ର ଓ ଦୁର୍ଗା ପ୍ରସାଦ ମିଶ୍ର ପୂଜା କାର୍ଯ୍ୟ ତୁଲାଇ ଥିବାବେଳେ ବୃନ୍ଦାବନ ସେନାପତି ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.