✒️ ପ୍ରଦୀପ କୁମାର ଚୈାଧୁରୀ
ଶରତରେ ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ । ନଦୀର କୁଳୁକୁଳୁ ନାଦ ସୁଲୁସୁଲିଆ ପବନରେ ପରିବେଶକୁ ପୁଲକିତ କରୁଛି କାଶତଣ୍ଡି । ମାଁ ଜଗତ ଜନନୀ ଦୁର୍ଗାଙ୍କ ଆଗମନକୁ ଧରାପୃଷ୍ଠରେ ସ୍ୱାଗତ କରିବା ପାଇଁ ପସରା ମେଲାଇଛି କାଶତଣ୍ଡି । ଧଳା ଚାମର ଧରି ପାର୍ବଣ ଋତୁକୁ ସ୍ୱାଗତ କରିବା ସହିତ କାଶତଣ୍ଡି ଯେମିତି ଦୁର୍ଗାଙ୍କ ଆଗମନକୁ ଅପେକ୍ଷା କରି ରହିଛି । ଆକାଶର ନୀଳ ବଣ୍ଣାଢ୍ୟରେ ଖଣ୍ଡ ଖଣ୍ଡ ବାଦଲ ତଳେ ବସୁମତି ଦେହରେ ଧଳାଫୁଲ ଓ ସବୁଜବନାନୀକୁ ନେଇ ପ୍ରକୃତିର ଶୋଭା ବଢାଉଛି କାଶତଣ୍ଡି । ଏବେ ପ୍ରକୃତିର ଏହି ଭରପୁର ମନୋହର ଦୃଶ୍ୟ ସବୁଆଡେ ଶୋଭା ପାଉଛି । ସବୁ ନଦୀକୂଳରେ କାଶତଣ୍ଡିର ଏହି ପସରାକୁ ଦେଖି ଯିଏ ହେଲେ କିଛି ସମୟ ଅଟକି ଯାଉଛି ।
ଶରତ ଋତୁର ଧୀମା ଧୀମା ପବନରେ ନିଜ ସୈାନ୍ଦର୍ଯ୍ୟର ଗୁଣ ବଖାଣିବା ପାଇଁ ଓ ପ୍ରକୃତିକୁ ଆହୁରି ଆକୃଷ୍ଟ କରିବା ପାଇଁ ଧଳା ରଙ୍ଗର ରଙ୍ଗ ନେଇ ନଦୀକୂଳରେ ଶୋଭା ପାଉଛି କାଶତଣ୍ଡି । ରାୟଗଡା ଜିଲ୍ଳା ଗୁମୁଡା ସେତୁ ଦେଇ ଯିବା ସମୟରେ ତଳେ ବଂଶଧାରା ନଦୀକୂଳରେ କାଶତଣ୍ଡିର ଧଳା ପସରାର ଦୃଶ୍ୟ ଦେଖିଲେ ମନରେ କବିଟିଏ ଆପେ ଆପେ ଜନ୍ମ ନେଇଥାଏ । ସତେ ଯେମିତି ଲାଗେ, ନଦୀ ବାଲି ପଠାରେ ପ୍ରକୃତି ରାଣୀ କାଶତଣ୍ଡିର ସୂଂପର୍ଣ୍ଣ ଧଳା ଚଦରରେ ନିଜକୁ ଘୋଡାଇ ନେଇଛି । ସତରେ ମନକୁ ବିମୋହିତ କରିବା ଭଳି ଦୃଶ୍ୟ । ଯାହାକୁ ଥରେ ଦେଖିଲେ ମନ ପ୍ରଫୁଲ୍ଳିତ ହେବା ସହ ମନକୁ ଆନନ୍ଦ ଦେଇଥାଏ ।
କାଶତଣ୍ଡିକୁ ଦେଖିଲେ ଶରତ ଋତୁର ପ୍ରାରମ୍ଭ ଏବଂ ପାର୍ବଣ ଋତୁର ଆରମ୍ଭ ବୋଲି ସାରା ଜଗତ ଜାଣିଥାନ୍ତି । ଅନେକ କବିଙ୍କ ମନୋଭାବନାରେ ଏବଂ ଲେଖକଙ୍କ କଲମରେ ଶରତ ଋତୁ ଆସିଲେ ବିଭିନ୍ନ ଛପା, ବୈଦୁତିକ ତଥା ସାମାଜିକ ଗଣମାଧ୍ୟମରେ କାଶତଣ୍ଡିକୁ ନେଇ ସେମାନଙ୍କ ମନଛୁଆଁ ହୃଦୟସ୍ପର୍ଶୀ ଲେଖାଗୁଡିକ ଆଦୃତ ହୋଇଥାଏ । ମାଁ ଜଗତଜନନୀ ଦୁର୍ଗାଙ୍କ ଆଗମନକୁ ତଥା ଦଶହରା ପର୍ବର ପୂର୍ବ ସୂଚନା ହୋଇ ଶରତରେ ଧରାପୃଷ୍ଠରେ ନଦୀକୂଳରେ ଶୋଭା ପାଇ ପ୍ରକୃତିକୁ ଭଲ ପାଉଥିବା ଲୋକଙ୍କ ମନକୁ ଆନନ୍ଦିତ କରିଥାଏ ଏହି କାଶତଣ୍ଡି ।