ଅକ୍ଟୋବର ୨ରୁ ଆୟୁଷ ଡାକ୍ତର ସଂଘର ଅସହଯୋଗ ଆନ୍ଦୋଳନ ଚେତାବନୀ

ଗୁଣପୁର, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ମାନେ ଅଲ ଓଡ଼ିଶା ଆୟୁଷ ଡାକ୍ତର ସଂଘ ରାୟଗଡା ଶାଖା ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସେମାନଙ୍କ ର ସ୍ଥାୟୀ ନିଯୁକ୍ତି ଦାବି କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ଅଭିଯୋଗ ଅନୁସାରେ ୨୦୦୭ ମସିହାରୁ ଜିଲ୍ଲାରେ ୧୫ ଜଣ ଓ ସାରା ରାଜ୍ୟରେ ୧୧୫୫ ଜଣ ଆୟୁଷ ଡାକ୍ତର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଚୁକ୍ତିଭିତିକ କାର୍ଯ୍ୟ ସମ୍ପାଦନ କରୁଛନ୍ତି। କିନ୍ତୁ ଦୀର୍ଘ ୧୪ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ ନିୟମିତ କରୁନାହାନ୍ତି।ତେଣୁକରି ରାଜ୍ୟ ସଂଘ ତରଫରୁ ସେପ୍ଟେମ୍ବର ୧୫ ତାରିଖରେ ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଦାବି ପୂରଣ କରା ନ ଯାଏ ତେବେ ପ୍ରତିବାଦ ସ୍ବରୂପ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ସମଗ୍ର ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ଥିବା ପାରାମେଡିସ୍କ ମାନଙ୍କୁ ନିୟମିତ କରାଯାଇଥିଲା।ଏହି ସମୟରେ ଆୟୁଷ ଡାକ୍ତର ମାନଙ୍କୁ ନିୟମିତ କରାଯିବା ନେଇ ଆଶ୍ୱାସନା ଦିଆଯାଇଥିଲା କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ବନ୍ୟା, ବାତ୍ୟା ହେଉ ଅବା କୋଭିଡ ମହାମାରୀ ସମୟରେ ଆୟୁଷ ଡାକ୍ତର ମାନେ ରୋଗୀ ସେବାରେ କଦାପି ଅବହେଳା କରି ନାହାନ୍ତି। ବିଶେଷ କରି ପଂଚାୟତ ସ୍ତରରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବାରେ ଆୟୁଷ ଡାକ୍ତର ମାନଙ୍କ ଭୂମିକା ଉଲ୍ଲେଖନୀୟ। ଏହା ସତ୍ତ୍ୱେ ସେମାନଙ୍କୁ ଅଣଦେଖା କରାଯାଉଛି।ତେଣୁ ସାରା ରାଜ୍ୟରେ ସ୍ଥାୟୀ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ ଆୟୁଷ ଡାକ୍ତର ମାନେ ଅସହଯୋଗ ଆନ୍ଦୋଳନ କରିବେ ବୋଲି ସଂଘର ସଭାପତି ଡାକ୍ତର ସିଦ୍ଧାର୍ଥ ମଲ୍ଲିକ ଏବଂ ସମ୍ପାଦକ ଡାକ୍ତର ଭଗବତୀ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.