ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର କିଡିଙ୍ଗ ଠାରୁ ନର୍ଲା ବ୍ଲକର ଛତିକୁଡା ଛକ ପର୍ଯ୍ୟନ୍ତ ରାସ୍ତା ଖାଲଖମା ହୋଇ ମରଣଯନ୍ତା ପାଲଟିଛି। ପୋଖରୀବନ୍ଧ ଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ ଠାରୁ ଛତିକୁଡା ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାର ଅନେକ ସ୍ଥାନରେ ଖାଲଖମା ଯୋଗୁଁ ଛୋଟବଡ଼ ଦୁର୍ଘଟଣା ଘଟୁଛି। ପ୍ରତିଦିନ ଶହ ଶହ ଟ୍ରକ ଓ ବେଦାନ୍ତ କମ୍ପାନୀର ଟ୍ୟାଙ୍କର ଓ ଭାରି ଯାନ ଚଳାଚଳ ଯୋଗୁଁ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ବଢିଯାଉଥିବା ଅଭିଯୋଗ ହେଉଛି।
ଅନେକ ସ୍ଥାନରେ ଖାଲ ଯୋଗୁଁ ବର୍ଷା ଦିନରେ ପାଣି ଜମି ରହୁଥିବା ଯୋଗୁଁ ଯାତ୍ରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ କାଁଭାଁ ମରାମତି ହେଲେ ମଧ୍ୟ କିଛି ଦିନ ପରେ ରାସ୍ତାର ଅବସ୍ଥା ଯେଉଁ ତିମିରକୁ ସେହି ତିମିରେ। ରାସ୍ତାର ଶୋଚନୀୟ ଅବସ୍ଥା ସବୁବେଳେ ଯାତ୍ରୀମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବର୍ଷାଦିନେ ରାସ୍ତାର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ତେଣୁ ତୁରନ୍ତ କିଡିଙ୍ଗ-ଛତିକୁଡା ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in