କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାର୍ଚନ ପ୍ରକ୍ରୀୟା ଆରମ୍ଭ ହୋଇଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ରହିଥିବା ୨୬ ଗୋଟି ଗ୍ରାମ ପଞ୍ଚାତର ବିଭିନ୍ନ ପଦବୀ ନିମନ୍ତେ ୧୭ ଜାନୁଆରୀ ସୋମବାର ଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି । ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ୩୨୩ ୱାର୍ଡ ରହିଥିବା ବେଳେ ଗ୍ରାମ ପଞ୍ଚାୟତ ଗୁଡିକରେ ୱାର୍ଡ ସଭ୍ୟ/ସଭ୍ୟା ଓ ସରପଞ୍ଚ ପଦବୀ ନିମନ୍ତେ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ଗ୍ରାମ ପଞ୍ଚାୟତ ଅଫିସ୍ ଗୁଡିକରୁ ଫର୍ମ ନେବା ସହ କେତେକ ପ୍ରାର୍ଥୀ/ପ୍ରାର୍ଥୀନୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ମଧ୍ୟ ସୂଚନ ମିଳିଛି । ପଞ୍ଚାୟତ ସମିତିରେ ସମିତି ସଦସ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ମାନେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିବେ । ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରୀୟା ଆସନ୍ତା ୨୧ ଜାନୁଆରୀ ଯାଏଁ ଚାଲିବାକୁ ରହିଥିବା ବେଳେ ଜାନୁଆରୀ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରୀୟା ଚାଲିବ ଏବଂ ଜାନୁଆରୀ ୨୫ରେ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ ବୋଲି ସୂଚନା ମିଳିଛି । ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ମୋଟ ୩୨୩ ଓ୍ବାର୍ଡ ସଭ୍ୟ ସଭ୍ୟା ପଦବୀ ରହିଥିବା ବେଳେ ୧୭ ଜାନୁଆରୀ ସୋମବାର ଦିନ ୩୪୨ ଗୋଟି ୱାର୍ଡ ସଭ୍ୟ ପାଇଁ ଫର୍ମ ବିକ୍ରୟ ହୋଇଛି । ସେହିଭଳି ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ୩୭ ଜଣ ଆଶାୟୀ ପ୍ରାର୍ଥୀ ଫର୍ମ ନେଇଥିବା ବେଳେ ସମିତି ସଦସ୍ୟ ପାଇଁ ୨୮ ଗୋଟି ଫର୍ମ ଆଶାୟୀ ପ୍ରାର୍ଥୀ ମାନେ ନେଇଥିବା ଜଣାପଡିଛି । ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ମଧ୍ୟ ପ୍ରାର୍ଥୀମାନେ ଫର୍ମ ନେଇଥିବା ଜଣାପଡିଛି । ହେଲେ ନର୍ଲା ବ୍ଲକ୍ ଅଞ୍ଚଳର ବିଭିନ୍ନ ଗ୍ରାମ ପଞ୍ଚାୟତରେ ୨୨ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ/ପ୍ରାର୍ଥୀନୀ ପ୍ରାର୍ଥୀପତ୍ର ଫର୍ମ ଦାଖଲ କରିଛନ୍ତି । ସେହିଭଳି ଉଲିକୁପା, ଶାନ୍ତପୁର ଓ ମାଣ୍ଡେଲ ଗ୍ରାମ ପଞ୍ଚାୟତର ସମିତି ସଦସ୍ୟ ପ୍ରାର୍ଥୀ ଭାବରେ ମାତ୍ର ୩ ଜଣ ବ୍ୟକ୍ତି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପ୍ରାର୍ଥୀ ପାଇଁ କୌଣସୀ ବି ଗ୍ରାମ ପଞ୍ଚାୟତରେ ପ୍ରାର୍ଥୀପତ୍ର ଦାଖଲ ହୋଇନଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ତରଫରୁ ଜିଲ୍ଲା ପରିଷଦ ସଦସ୍ୟ ନିମନ୍ତେ ଦଳୀୟ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଚୟନ ପ୍ରକ୍ରୀୟା ଯୋରସୋରରେ ଚାଲିଥିବା ଦେଖିବାକୁ ମିଳୁଛି । ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ରାଜନୀତି ବେଶ ସରଗରମ ହୋଇଥିବା ଦୃଶ୍ୟମାନ ହେଉଛି । ନର୍ଲାର ପ୍ରମୁଖ ଛକ ନର୍ଲା ଚାରିଛକ, ଛତିକୁଡା ଛକ, ରୁପ୍ରା, ରୁପ୍ରାରୋଡ, ବାଲିପଡା ଓ ସେରଗଡ ପ୍ରଭୃତି ସ୍ଥାନରେ ରାଜନୀତି ସରଗରମ ହୋଇପଡିଥିବା ବେଳେ ସମ୍ଭାବ୍ୟ ପ୍ରାର୍ଥୀ ମାନଙ୍କୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ଏଥିପାଇଁ ଏହି ଛକ ଗୁଡିକର ଚା, ପାନ ଦୋକାନ ଗୁଡିକରେ ସକାଳୁ, ସଂଧ୍ୟାଯାଏଁ ଜନଗହଳି ଦୃଶ୍ୟମାନ ହେଉଥିବା ଦେଖିବାକୁ ମିଳୁଛି ।