ନର୍ଲା ରାଜନୀତି: ରୋଚକ ମୋଡରେ ଜିଲ୍ଲା ପରିଷଦ ଲଢେଇ

● ସମସ୍ତ ଆସନ ହାତେଇବା ମୁଡ୍ ରେ ବିଜେଡି

● ଗଡରକ୍ଷା କରିବାକୁ ବିଜେପିର ପ୍ରୟାସ, ପାଗଭିଡି ଲଢେଇକୁ ଓହ୍ଲାଇଛି କଂଗ୍ରେସ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବା ପାଇଁ ତିନି ପ୍ରମୁଖ ଦଳ ରଣନୀତି ପ୍ରସ୍ତୁତ କରି ଜିଲ୍ଲାର ସବୁ ଜୋନରେ ନିଜ ନିଜ ପ୍ରାର୍ଥୀ ମାନଙ୍କୁ ଜିତାଇବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡିର ୩୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩୩ଟି ଆସନ ହାତେଇ ଜିଲ୍ଲା ପରିଷଦ ଗଠନ କରିଥିଲା ବିଜେପି । ସେହି ସମୟରେ କଂଗ୍ରେସ ୨ ଏବଂ ବିଜେଡି ମାତ୍ର ଗୋଟିଏ ଆସନ ପାଇଥିଲା । ତେବେ ପ୍ରତି ପଞ୍ଚାୟତ ନିର୍ବାଚନରେ ବଦଳୁଛି କଳାହାଣ୍ଡି ଜିଲ୍ଲା ପରିଷଦ ଶାସନ ଗାଦି । ୨୦୦୭ରେ କଂଗ୍ରେସ, ୨୦୧୨ରେ ବିଜେଡି ଓ ୨୦୧୭ରେ ବିଜେପି ଗଠନ କରିଥିଲେ କଳାହାଣ୍ଡି ଜିଲ୍ଲା ପରିଷଦ । ବିଗତ ୩ ଥରରେ ତିନିଟି ଭିନ୍ନ ଦଳକୁ ପରଖି ସାରିଲେଣି କଳାହାଣ୍ଡି ଜନତା । ଏଥର ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ହେଲେ ଏଥର କିଏ ? ଏହାକୁ ନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ଏଥର ନର୍ଲା ବ୍ଲକର ତିନୋଟି ଜିଲ୍ଲା ପରିଷଦ ଆସନରେ ଲଢେଇ ଜୋରଦାର ହେଉଛି । ଆଉ କିଛି ଦିନ ପରେ ଅନୁଷ୍ଠିତ ହେବ ମତଦାନ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରୟାସ ଜାରି ରଖିଛନ୍ତି । ବିଜେଡି ବ୍ଲକର ସମସ୍ତ ଆସନ ଅକ୍ତିଆର କରିବାକୁ ରଣନୀତି ପ୍ରସ୍ତୁତ କରିଥିବାବେଳେ ଗଡରକ୍ଷା କରିବାକୁ ବିଜେପି ଲାଗିପଡିଛି । କଂଗ୍ରେସ ମଧ୍ୟ ଆସନ ପାଇବା ଆଶାରେ କସରତ ଆରମ୍ଭ କରିଦେଇଛି । ଅନ୍ୟାନ୍ୟ ଦଳ ମଧ୍ୟ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି । ନର୍ଲା ବ୍ଲକରେ ତିନୋଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ସେଥି ମଧ୍ୟରୁ ଜୋନ୍-୨୬ (ନର୍ଲା-୧ ରୁପ୍ରା ମହିଳାଙ୍କ ପାଇଁ ସଂରକ୍ଷିତ ଆସନ) ପାଇଁ ବିଜେପି ପ୍ରାର୍ଥୀନୀ ଭାବରେ ସଞ୍ଜୁ ସାହୁ, ବିଜେଡି ତରଫରୁ ନମ୍ରତା ସାହୁ, କଂଗ୍ରେସ ତରଫରୁ ଜ୍ୟୋତି ବେହେରା ଲଢେଇ କରୁଛନ୍ତି । ଜିଲ୍ଲା ପରିଷଦ ଜୋନ୍-୨୭ (ନର୍ଲା-୨ ସରିଆଁ ଅନୁସୂଚୀତ ଜନଜାତି ପାଇଁ ସଂରକ୍ଷିତ ଆସନ) ପାଇଁ ବିଜେପି ତରଫରୁ ରୀନା ଭୋଇ, ବିଜେଡି ତରଫରୁ ହରିଶଙ୍କର ମାଝୀ ଓ କଂଗ୍ରେସ ତରଫରୁ ରୋଶନ କୁମାର ମାଝୀ ପ୍ରାର୍ଥୀ ରହିଛନ୍ତି । ସେହିଭଳି ଜିଲ୍ଲା ପରିଷଦ ଜୋନ ନଂ-୨୮ (ନର୍ଲା- ୩ ଅନୁସୂଚୀତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଆସନ) ନିମନ୍ତେ ବିଜେପି ତରଫରୁ ପ୍ରଣତି ମହାନନ୍ଦ, ବିଜେଡି ତରଫରୁ ଲିଲି ଦୀପ ଓ କଂଗ୍ରେସ ତରଫରୁ ସୁନୀତା ନାଏକ ପ୍ରାର୍ଥୀନୀ ରହିଛନ୍ତି । ବର୍ତ୍ତମାନ ଏସବୁ ଆସନକୁ ନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ତିନୋଟି ଯାକ ଆସନ କେମିତି ଦଖଲ କରିହେବ ସେଥିପାଇଁ ନର୍ଲା ବିଧାୟକ ଭୁପିନ୍ଦର ସିଂ, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, କଳାହାଣ୍ଡି ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ସମେତ ବିଜେଡିର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଫୁଲ୍ ଦମ୍ ରେ ଲାଗି ପଡ଼ିଛନ୍ତି । ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ବିଜେଡି ସରକାର ଏହି ଅଞ୍ଚଳବାସୀଙ୍କ ଆସ୍ଥା ଭାଜନ ହୋଇ ପାରିଛନ୍ତି । ଅସହାୟ, ଗରୀବଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକେ ବିଜେଡି ସରକାରଙ୍କ ଅବଦାନକୁ ଠିକ୍ ମନେ ରଖିଛନ୍ତି ଏବଂ ତାହାର ଯୁକ୍ତାତ୍ମକ ଦିଗ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ବିଜେଡି ନେତୃବୃନ୍ଦ ଆଶା ପୋଷଣ କରିଛନ୍ତି । ଗତଥର ଭୁଲ୍ ପ୍ରାର୍ଥୀ ଚୟନ ପାଇଁ ବିଜେଡି ଏସବୁ ଆସନରୁ ପରିଜିତ ହୋଇଥିଲା । ତେଣୁ ଏଥର ତୃଣମୂଳ ସ୍ତରରୁ ସବୁ ଦିଗ ଉପରେ ତର୍ଜମା କରି ଉପଯୁକ୍ତ ପ୍ରାର୍ଥୀ ଚୟନ କରି ନିର୍ବାଚନ ସମରକୁ ଓହ୍ଲାଇଛି ବିଜେଡି । ଇତି ପୂର୍ବରୁ ବିଜେଡି ସରକାରଙ୍କ ବିଭିନ୍ନ ଯୋଜନା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚିସାରିଛି । ୨୦୧୭ ନିର୍ବାଚନରେ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଦସ୍ୟମାନେ ସାଧାରଣ ଜନତାଙ୍କ ସେତେ ଆସ୍ଥା ଭାଜନ ହୋଇପାରିନଥିବା ଚର୍ଚ୍ଚା ହେଉଛି । ତେଣୁ ଏହାର ବିଯୁକ୍ତାତ୍ମକ ପ୍ରତିଫଳନ ବିଜେପି ଉପରେ ପଡିପାରେ ଏବଂ ବିଜେଡି ଏହାର ଫାଇଦା ନେଇପାରେ । ବର୍ତ୍ତମାନର ସମୟରେ ନର୍ଲାର ଜୋନ୍-୨ ରେ ବିଜେଡି ହାଓ୍ବା ବହୁଥିବା ବେଳେ ଜୋନ୍-୧ ରେ ବିଜେପି-ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି ଜଣାପଡିଛି । ତେବେ ଜୋନ୍-୩ରେ ବିଜେଡିର ହାଓ୍ବା କେଉଁଠି କେମିତି ଧିମେଇ ଯାଇଥିବା ଆଲୋଚନା ହେଉଛି, ତେବେ ଏହାକୁ ସଜାଡିବାକୁ ମଧ୍ୟ ବିଜେଡିକୁ ଅଧିକ ସମୟ ଲାଗିବ ନାହିଁ । ତିନୋଟି ଯାକ ଜୋନର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦିନରାତି ସମାନ କରି ଦେଇଛନ୍ତି ବିଜେଡି ନେତୃବୃନ୍ଦ । ପ୍ରଚାର ପ୍ରସାରରେ ମଧ୍ୟ ବିଜେଡି ଅନ୍ୟମାନଙ୍କ ଠାରୁ ଆଗରେ ଥିବା ଜଣାପଡିଛି । ଗାଁ ଗଣ୍ଡା ଗଳି କନ୍ଦି ସବୁଠି ଛାଇ ହୋଇ ଯାଇଛି ବିଜେଡି ପୋଷ୍ଟର ଓ ବ୍ୟାନର । ଅନ୍ୟପକ୍ଷରେ ଗତଥର ନର୍ଲା ବ୍ଲକର ତିନୋଟିଯାକ ଜିଲ୍ଲା ପରିଷଦ ସଦସ୍ୟ ଆସନ ହାତେଇଥିବା ବିଜେପି ଏଥର ମଧ୍ୟ ସ୍ଥିତି ବଜାୟ ରଖିବାକୁ ସବୁ ସ୍ତରରୁ ଉଦ୍ୟମ କରୁଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଲାଗି ପଡ଼ିଛନ୍ତି ବିଜେପି କର୍ମୀ । ଇତି ମଧ୍ୟରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ବିଜେପି ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିଥିବା ବେଳେ ଜିଲ୍ଲା ଓ ମଣ୍ଡଳ ସ୍ତରର ବିଜେପି କାର୍ଯ୍ୟକର୍ତ୍ତା ଏବଂ ନେତୃମଣ୍ଡଳୀ ମାରାଥନ୍ ପ୍ରଚାରରେ ଅଛନ୍ତି । ତେଣୁ ଏଥରେ ଅନେକ ସ୍ଥାନରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଜଣାପଡିଛି । ଏପଟେ କଂଗ୍ରେସର ପ୍ରାର୍ଥୀଙ୍କ ପାଇଁ ମାରାଥନ୍ ପ୍ରଚାର କରୁଛନ୍ତି ଜିଲ୍ଲା ଓ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତ୍ତା । କଂଗ୍ରେସ ଅନେକ ଉତ୍ତମ ବ୍ୟକ୍ତିତ୍ବଙ୍କୁ ପ୍ରାର୍ଥୀ କରିଥିବାରୁ ସେମାନେ ଲଢେଇରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି ବୋଲି ଆକଳନ କରାଯାଉଛି । ଏସବୁ ମଧ୍ୟରେ ନର୍ଲା ବ୍ଲକର ତିନୋଟି ଜିଲ୍ଲା ପରିଷଦ ଆସନ ପାଇଁ ଲଢେଇ ରୋଚକ ମୋଡରେ ପହଞ୍ଚିଥିବା ଦେଖାଯାଇଛି । ତେବେ ଫଳାଫଳ ଘୋଷଣା ପରେ ଜଣାପଡିବ କାହା ଖାତାକୁ କେତେ ଆସନ ଯାଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.