ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଫଗୁଣର ଅପୂର୍ବ ରଙ୍ଗରେ ରଙ୍ଗାୟିତ ହେଉଛି ପରିବେଶ । ସବୁଆଡେ ଖୁସିର ମାହୋଲ । ଆଗକୁ ଆସୁଛି ଫଗୁ ଦୋଳଣ । ଏହା ପୂର୍ବରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ପଲସାପଡାଠାରେ ଆରମ୍ଭ ହୋଇ ଯାଇଥାଏ ଶ୍ୟାମ ବାବାଙ୍କ ଫାଲଗୁନ ମେଳା । ଏହି ଅବସରରେ ଆଜି ରୁପ୍ରାରୋଡରୁ ପଲସାପଡା ପର୍ଯ୍ୟନ୍ତ ୮କିମି ନିଶାନ ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା । ରୁପ୍ରାରୋଡ ବସ୍ତିର ଜଗଜୀବନ ଛୋଟେ ଲାଲ (ଶ୍ୟାମ ପରିବାର)ଙ୍କ ବାସଭବନରୁ ବାବାଙ୍କ ନିଶାନ ପଦ ଯାତ୍ରା ଆରମ୍ଭ ହୋଇ ପଲସାପଡା ଶ୍ୟାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଏଠାରେ ପ୍ରକାଶଯୋଗ୍ୟ ଯେ, ଏହି ଶ୍ୟାମ ମନ୍ଦିର ୧୯୭୪ ମସିହାରୁ ପଲସାପଡାଠାରେ ସ୍ଥାପିତ ହୋଇ ପୂଜାର୍ଚ୍ଚନା ଚାଲିଛି । ଓଡିଶାରେ ଏହା ଦ୍ୱିତୀୟ ପୁରୁଣା ବାବାଙ୍କ ମନ୍ଦିର ବୋଲି ସୂଚନା ମିଳିଛି । ଏହି ପଦଯାତ୍ରାରେ ଶ୍ୟାମ ପରିବାରର ସମସ୍ତ ସଦସ୍ୟ ରୁପ୍ରାରୋଡ, ଧର୍ମଗଡ଼, ଜୁନାଗଡ, କେସିଙ୍ଗା, ସମ୍ବଲପୁର, ଝାରସୁଗୁଡା, ଭବାନୀପାଟଣା, ଲଡ଼ୁଗାଁ, ବରଗଡ, ଟିଟିଲାଗଡ଼ରୁ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ମଙ୍ଗଳ ଆଳତି କରି ବାବାଙ୍କୁ ଏକ ସୁସଜ୍ଜିତ ରଥରେ ନଗର ପରିକ୍ରମା କରି ଭଜନ ଓ ଜୟ ଗାନ କରି ମନ୍ଦିରକୁ ଅଣା ଯାଇଥିଲା । ରୁପ୍ରାରୋଡର ଶ୍ୟାମ ଭକ୍ତ ରାଧେଶ୍ୟାମ ଶର୍ମା, ରାମଚନ୍ଦ୍ର ଶର୍ମା, ଶ୍ୟାମ ସୁନ୍ଦର ଶର୍ମା, ଅଶୋକ କମାନୀ, ଦୀନେଶ ଅଗ୍ରୱାଲ, ବିଜୟ ଅଗ୍ରୱାଲ, ସୁନୀଲ ଶର୍ମା, ସୁରେଶ, ପୱନ, ଅମିତ, ସନ୍ଦୀପ, ସୁମିତ, ପ୍ରଦୀପ, ପ୍ରମୋଦ ଏବଂ ଶ୍ୟାମ ପରିବାରର ଭକ୍ତମାନେ ସହଯୋଗ କରି ଥିଲେ । ସୂଚନା ଅନୁସାରେ ୨୦୨୪ରେ ଏହି ବାବାଙ୍କ ମନ୍ଦିର ୫୦ବର୍ଷ ପୁର୍ଣ୍ଣ ହୋଇଯିବ । ସେହି ବର୍ଷ ବହୁତ ଧୁମ ଧାମ ଏବଂ ଆଡ଼ମ୍ବରରେ ତ୍ରି-ଦିବସୀୟ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।





