ଆସନରେ ବସୁ ବସୁ PC ଓ ଦୁର୍ନୀତି ବନ୍ଦ ଘୋଷଣା କଲେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

ଓଡ଼ିଆ ବାର୍ତ୍ତା/  କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ସାମ୍ବାଦିକ ବିନ୍ଦୁ ମହାନନ୍ଦ ବୁଧବାର ଦିନ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଆଶୀର୍ବାଦ ଗ୍ରହଣ କରି ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଭାବେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ବ ଗ୍ରହଣ ପରେ ପରେ ନୂତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାନନ୍ଦଙ୍କ ସଭାପତିତ୍ବରେ ସଭାଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗୋଳାମୁଣ୍ଡା ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ସମସ୍ତ ପିଇଓ, ସମସ୍ତ ଗ୍ରାମ ରୋଜଗାର ସେବକ, ସମସ୍ତ କିରାଣୀ, ସମସ୍ତ ସରପଞ୍ଚ , ଏମ.ଆଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସମସ୍ତ ସରକାରୀ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ ।

ଉକ୍ତ ବୈଠକ ମାଧ୍ୟମରେ ଲାଞ୍ଚ, ପିସି ଓ ଦୁର୍ନୀତି ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ବିନମ୍ର ଅନୁରୋଧ କରିଥିଲେ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ । ଏହାସହ ଗରିବ ଜନ ସାଧାରଣଙ୍କ ସମସ୍ୟା ତୁରନ୍ତ ସମାଧାନ କରିବାକୁ ସେ ସରକାରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯଦି କୌଣସି ସରକାରୀ କର୍ମଚାରୀ ଗରିବ ଜନସାଧାରଣଙ୍କୁ କାମ କରିଦେବା ପାଇଁ ଲାଞ୍ଚ ମାଗନ୍ତି ତେବେ ମୁଁ ସେହି କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହି ମୋ ସରକାର ‘ଫାଇବ୍ ଟି’ କୁ ଧ୍ୟାନ ଦେଇ କାମ କରିବାକୁ କହିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଜେଡି ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ସମାଜସେବୀ ପ୍ରବୀଣ ସିପକା, ବରିଷ୍ଠ ସମାଜସେବୀ ତଥା ଦଶପୁର ସମିତି ସଭ୍ୟ ଦୁର୍ଗା ପ୍ରସାଦ ସାହୁ, ବ୍ଲକର ସମସ୍ତ ସାମ୍ବାଦିକ ବନ୍ଧୁ, ସହଯୋଗ କରିଥିବା ସମସ୍ତ କର୍ମୀ, ସମସ୍ତ ସମିତି ସଭ୍ୟ/ସଭ୍ୟା ଓ ମାନ୍ୟବର ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବ୍ଲକ ଅଧ୍ୟକ୍ଷ ହୋଇଥିବାର ସମସ୍ତ ଶ୍ରେୟ ଦେଇଛନ୍ତି ବିନ୍ଦୁ ମହାନନ୍ଦ । ତେବେ ଆସନରେ ବସୁ ବସୁ ନୂତନ ବ୍ଲକ ଅଧ୍ୟକ୍ଷଙ୍କ ଏହି ଐତିହାସିକ ଘୋଷଣାକୁ ଗୋଲାମୁଣ୍ଡା ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.