ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବାଲିଗୁଡା ସ୍ଥିତ ବନବାସି ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକଙ୍କ ଦ୍ୱାଦଶତମ ଶ୍ରାଦ୍ଧ ବାର୍ଷିକ ପାଳନ ନିମନ୍ତେ ଅନୁଷ୍ଠାନ କର୍ମୀଙ୍କ ମଧ୍ୟରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ ବର୍ଷ ଧରି କରୋନାର ଭୟାଭୟତା ଯୋଗୁଁ ଏହି ସ୍ମୃତିଚାରଣ ସଭା କୋଭିଡ କଟକଣା ମଧ୍ୟରେ ବିଧି ପୂର୍ବକ ପାଳନ ହୋଇଥିଲା । ଏହି ଉତ୍ସବ ଚଳିତ ମାସ ୨୯ ତାରିଖ ମଙ୍ଗଳବାର ଦିନ ପାଳନ କରାଯିବା ନିମନ୍ତେ ସ୍ଥିରୀକୃତ ହୋଇଛି । ନିତି ଅନୁସାରେ ବୈତାଳିକ ପ୍ରାର୍ଥନା, ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ, ସାମୁହିକ ପ୍ରାର୍ଥନା, ସୃତିସଭା ସହିତ ଅନ୍ତେବାସୀଙ୍କ ନିମେନ୍ତେ ସାମୁହିକ ଭୋଜନର କାର୍ଯ୍ୟସୂଚୀ ମଧ୍ୟ ବୈଠକରେ ଅନୁମୋଦିତ ହୋଇଛି । ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ ସଭାକୁ ସହସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ । ଖଗେନ୍ଦ୍ର ନାୟକ, ବିଶ୍ଵଜିତ ଜେନା, ରବିନାରାୟଣ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁପ୍ରିୟା ପରବିନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।