ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରଥମେ ଯୁବକଙ୍କୁ ହତ୍ୟା କରି ବେକରେ ଫାସ ଦେଇ ଏକ ଶାଗୁଆନ ଗଛରେ ଝୁଲାଇ ଆତ୍ମହତ୍ୟାର ନାଟକ ରଚିଥିଲେ ଅଭିଯୁକ୍ତ, ହେଲେ ପରିବାରର ଅଭିଯୋଗ ପରେ ୪ ଜଣିଆ ସାଇଣ୍ଟିଫିକ ଟିମର ତଦନ୍ତ, ପାରିପାର୍ଶ୍ବିକ ଅବସ୍ଥା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନୁହେଁ ବରଂ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ଏହି ଘଟଣାରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାରଙ୍କ ନେତୃତ୍ୱରେରେ ଆମପାଣି ପୋଲିସର ଛାନଭିନ ଓ ଅଟକ ରଖିଥିବା ଅଭିଯୁକ୍ତଙ୍କ ଠାରୁ ସତ ଓଗାଳିବାରେ ସଫଳ ହୋଇଛି ପୋଲିସ। ସୂଚନା ଅନୁସାରେ କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବରାଡୋଙ୍ଗା ପଞ୍ଚାୟତ କେନ୍ଦୁ ଡୋଙ୍ଗରି ଗ୍ରାମର ଦ୍ଵାରିକା ଦାସ (୨୨) ଙ୍କ ଝୁଲନ୍ତା ମୃତଦେହକୁ ଗତ ୩ ତାରିଖରେ ଗ୍ରାମ ନିକଟରେ ଥିବା ଏକ ପୋଖରୀ ହୁଡାର ଶାଗୁଆନ ଗଛରୁ ଉଦ୍ଧାର କରିଥିଲା ଆମପାଣି ପୋଲିସ । ଏ ନେଇ ମୃତକ ଯୁବକଙ୍କ ବାପା ଟିକେଶ୍ୱର ଦାସଙ୍କ ହତ୍ୟା ଅଭିଯୋଗ ଓ ବିଭିନ୍ନ ଦିଗକୁ ତଦନ୍ତ ପରେ ପୋଲିସ ମଧ୍ୟ ଯୁବକଙ୍କୁ ହତ୍ୟା ନେଇ ଏକ ମାମଲା ରୁଜୁ କରି ସନ୍ଦେହରେ ପ୍ରଥମେ କିଛି ଯୁବକଙ୍କୁ ଆମପାଣି ଓ କୋକସରା ଥାନାରେ ଅଟକ ରଖି ପଚରାଉଚୁରା ସହ ଛାନଭିନ କରିଥିଲା । ପରେ ହତ୍ୟାକାଣ୍ଡର ପର୍ଦାଫାସ କରିବାରେ ପୋଲିସକୁ ସଫଳତା ମିଳିଥିଲା। ଅଭିଯୁକ୍ତ ହତ୍ୟା ଘଟାଇଥିବା ସ୍ୱୀକାର କରିବା ପରେ ପୋଲିସ ଏହି ଘଟଣାରେ ୩ ଜଣ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ନେଇ ସୁଚନା ଦେଇଛି । ଦ୍ଵାରିକା ଦାସକୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଧର୍ମଗଡ ବ୍ଲକ ପର୍ଲା ଗ୍ରାମର ପ୍ରଦୀପ କୁମାର ଦାସ (୩୯), କେନ୍ଦୁଡଙ୍ଗରି ଗ୍ରାମର ଯତୀନ ଦାସ(୩୯) ଓ ମହେନ୍ଦ୍ର ନାଏକ(୩୦)ଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଆମପାଣି ପୋଲିସ ଅଧିକାରୀ ଚତୁର୍ଭୁଜ ନାଏକ ସୁଚନା ଦେଇଛନ୍ତି ।
ଏନେଇ ଆମପାଣି ଥାନା ରେ ହତ୍ୟା ମାମଲାରେ କେଶ ନମ୍ବର ୪୮/୨୨ ରୁଜୁ ହୋଇ ଧାରା ୩୦୨/୩୪ ଆଇ.ପି.ସି ଅନୁସାରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୁଚନା ମିଳିଛି । ତେବେ ପାରିବାରିକ କଳହ ଓ ଜଣେ ଯୁବକର ମୃତ ଦ୍ଵାରିକା ଦାସର ସମ୍ପର୍କୟ ଭଉଣୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି । ତେବେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ପ୍ରତିବାଦ କରି ଓ ଏହି ହତ୍ୟାକାଣ୍ଡ ଘଟଣାର ପ୍ରକୃତ ହତ୍ୟାକାରୀକୁ ଖସାଇ ଦିଆଯାଇଛି ବୋଲି ଅଭିଯୋଗ କରି ଆମପାଣି ଥାନା ସମ୍ମୁଖରେ ମୃତକ ଯୁବକଙ୍କ ପରିବାର ଓ ମହିଳା ମାନେ ଧାରଣା ଦେଇଥିବା ଜଣାପଡିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ ।