ଓଏସ୍ଇଏଫଡ଼ି ସଂଘ ତରଫରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ତର୍ନିବେଶୀ ଶିକ୍ଷା ସଚ଼େତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନୟାଗଡ଼: ରଣପୁର ବ୍ଲକ ଅଧିନସ୍ଥ ରାଜସୁନାଖଳା ଠାରେ ଓଡିଶା ସ୍ୱତନ୍ତ୍ର ଶିକ୍ଷକ ସଙ୍ଘ (ଓଏସ୍ଇଏଫଡ଼ି) ତରଫରୁ ଭିନ୍ନକ୍ଷମ ପିଲାଙ୍କୁ ସ୍ୱତନ୍ତ୍ର ଅଧିକାର ଓ ପ୍ରାଧାନ୍ୟତାକୁ ନେଇ ରାଜସୁନାଖଳା ଗ୍ରାମପଞ୍ଚାୟତର ସବୁ ଗ୍ରାମର ଅଭିଭାବକ ଓ ଭିନ୍ନକ୍ଷମ ପିଲାଙ୍କୁ ନେଇ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ସଂଘର ସଭାପତି ପ୍ରଦୀପ୍ତ କୁମାର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ମୁଖ୍ୟବକ୍ତା ଭାବରେ ଆୟୁଷ୍ମାନ ଚୌଧୁରୀ, ସମ୍ମାନୀତ ଅତିଥି ଭାବେ ରାକେଶ କୁମାର ସାହୁ, ମିଥୁନ ମଲ୍ଲିକ,ରୋପ୍ୟରଞ୍ଜନ ସାମନ୍ତରାୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ପିଲାଙ୍କୁ ପ୍ରଥମେ ଚନ୍ଦନ ପୁଷ୍ପ ଦେଇ ସ୍ୱାଗତ କରାଯାଇଥିଲା।

ସେମାନଙ୍କ ମଧ୍ୟରେ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା। ଏହି ସଭାରେ ଅନ୍ତର୍ନିବେଶୀ ଶିକ୍ଷାର ମହତ୍ତ୍ଵ ଓ ଗୁରୁତ୍ୱ ବିଷୟରେ ଉଭୟ ଅଭିଭାବକ ଓ ଶିଶୁମାନଙ୍କୁ ଅବଗତ କରାଯାଇଥିଲା। ଜନମଙ୍ଗଳ କ୍ଷେତ୍ରରେ ଏବଂ ଦିବ୍ଯାଙ୍ଗ ମାନଙ୍କ ଉନ୍ନତି ଓ ବିକାଶ କ୍ଷେତ୍ରରେ ଓଏସ୍ଇଏଫଡ଼ି ସଙ୍ଘର ଉକ୍ତ କାର୍ଯ୍ୟକ୍ରମକୁ ସରପଞ୍ଚ ଶ୍ରୀଯୁକ୍ତ ପ୍ରଧାନ ଭୂୟସୀ ପ୍ରଶଂସା କରିଥିଲେ।

ଓଏସ୍ଇଏଫଡ଼ି ସଙ୍ଘ ତରଫରୁ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ୱତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଧାରିତ ରାୟକୁ ପାଳନ କରିବାକୁ ଏହି ଅବସରରେ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.