ସରପଞ୍ଚଙ୍କ ଅଭିନବ ପ୍ରୟାସ: ବିନା ଖର୍ଚ୍ଚରେ ପୋଖରୀ ଖନନ କରି ଲୋକଙ୍କ ମୁହଁରେ ଦେଲେ ହସ, ବିଭିନ୍ନ ମହଲରୁ ପ୍ରଶଂସା

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲା ସିନାପାଲି ବ୍ଲକ ଘଣ୍ଟିଗୁଡା ପଂଚାୟତରେ ସରପଞ୍ଚ ଖୁଟୁରାମ ସୁନାନୀଙ୍କ ଏକ ଅଭିନବ ଉଦ୍ୟମ ଦେଖିବାକୁ ମିଳିଛି। ଲୋକଙ୍କ ବିଭିନ୍ନ ସମସ୍ୟାକୁ ଅଭିନବ ଉଦ୍ୟମରେ ସମାଧାନ କରାଯାଉଥିବା ଲୋକଲୋଚନକୁ ଆସିଛି। ବିଭିନ୍ନ ପୋଖରୀ ତଥା ଜଳାଶୟ ଗୁଡିକରେ ସରକାରୀ ଅନୁଦାନ ବ୍ୟତୀତ ଅଭିନବ ଉଦ୍ୟମରେ ଖନନ କାର୍ଯ୍ୟ କରି ଶୁଖିଲା ପୋଖରୀରେ ପାଣି ଫୁଟାଇ ଲୋକଙ୍କ ମୁହଁରେ ହସ ଦେଇ ପାରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ଅଧୀନରେ ଥିବା ପ୍ରାୟ ଅନେକ ପୋଖରୀ ପାଣି ଗ୍ରୀଷ୍ମ ଦିନରେ ଶୁଖି ଯାଇଥାଏ। ହେଲେ ଉକ୍ତ ପୋଖରୀ ଗୁଡିକୁ ଖନନ କରିବାକୁ ହେଲେ ବହୁ ସରକାରୀ ଅନୁଦାନର ଆବଶ୍ୟକ ରହିଛି। ଯାହାକି ଏକ କାଳୀନ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସମ୍ଭବ ମଧ୍ୟ ନୁହେଁ। କିନ୍ତୁ ସାମ୍ବାଦିକରୁ ସରପଞ୍ଚ ହୋଇଥିବା ଖୁଟୁରାମ ସୁନାନୀଙ୍କ ଉଦ୍ୟମରେ ବିନା ଅର୍ଥ ଖର୍ଚ୍ଚ ରେ ସ୍ଥାନୀୟ ୟୁଏନଡ଼ିପି ପୋଖରୀରୁ ମାଟି ଉଠାଇ ଗଭୀର କରି ପାଣି ଫୁଟାଇ ପାରିଛନ୍ତି। ପୁଣି ସରଧପୁର ବଡ଼ କୁର୍ଲାନଳା ପୋଖରୀ ବର୍ତମାନ ମାଟି ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ପୂର୍ବରୁ ଅଜସ୍ର ସରକାରୀ ଅନୁଦାନ ଖର୍ଚ୍ଚ କରି ପୋଖରୀ ନିର୍ମାଣ କରାଯାଇଥିଲା। ହେଲେ ଗ୍ରୀଷ୍ମ ଦିନରେ ପାଣି ଟିକକ ରହିପାରୁ ନଥିଲା। ସରକାରୀ ଅନୁଦାନ ଖର୍ଚ୍ଚ ହେବା ସହ ଉକ୍ତ ଫାଇଲ ବନ୍ଦ ହେବା ପରେ ବର୍ତମାନ ବିନା ଖର୍ଚ୍ଚରେ ମାଟି ଖନନ କରି ପୋଖରୀରେ ପାଣି ଫୁଟାଇ ଲୋକଙ୍କ ପାଇଁ ସୁବିଧା ଯୋଗାଇ ଦେବା ଉଦ୍ୟମକୁ ପ୍ରଶଂସନୀୟ ଉଦ୍ୟମ ବୋଲି ମତ ପ୍ରକାଶ ପାଇଛି। ସୂଚନାରୁ ପ୍ରକାଶ ଯେ, ଘଣ୍ଟିଗୁଡା ପଞ୍ଚାୟତ ଦେଇ ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି। ଉକ୍ତ ରାସ୍ତା ନିର୍ମାଣ ପାଇଁ ମାଟିର ଆବଶ୍ୟକ ପଡୁଛି। ସରପଞ୍ଚ ଖୁଟୁରାମ ସୁନାନୀ ଜଣେ ବରିଷ୍ଠ ସାମ୍ବାଦିକ ଅଟନ୍ତି। ସମ୍ବାଦିକରୁ ସରପଞ୍ଚ ହୋଇଥିବା ବେଳେ ସେ ଜଣେ ବିଚକ୍ଷଣ, ଦକ୍ଷତାପୂର୍ଣ୍ଣ , ସକ୍ରିୟ ବ୍ୟକ୍ତି ଅଟନ୍ତି। ତାଙ୍କର ଚତୁରତା ବଳରେ ସେ ନୂଆପଡା ଜିଲ୍ଲାପାଳଙ୍କୁ ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣରେ ନିକଟସ୍ଥ ପୋଖରୀ ଗୁଡିକର ମାଟି ଖନନ କରି ନେବାକୁ ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଥିଲେ। ଯାହା ଫଳରେ ବିନା ଖର୍ଚରେ ପୋଖରୀ ନିର୍ମାଣ ହେବା ସହ ଲୋକଙ୍କ ସୁବିଧା ହୋଇପାରିବ। ଉକ୍ତ ପ୍ରସ୍ତାବକୁ ବିଭାଗୀୟ ଅଧିକାରୀ ମାନେ ଗ୍ରହଣ କରି ପୋଖରୀରୁ ମାଟି ଉଠାଇ ପୋଖରୀ ନିର୍ମାଣରେ ସହଯୋଗ କରୁଛନ୍ତି। ସରକାରୀ ରାସ୍ତା ନିର୍ମାଣ ହେବା ସହ ବିନା ଖର୍ଚରେ ପୋଖରୀ ନିର୍ମାଣ ହୋଇ ଲୋକଙ୍କ ସୁବିଧା ହୋଇପାରିଛି। ସାମ୍ବାଦିକ ସରପଞ୍ଚଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.