ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଠାରେ ଥିବା ମାଉସୀ ମନ୍ଦିର ଏବେ ଭଙ୍ଗା ଦଦରା ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଗତ ବର୍ଷ କାଳବୈଶାଖୀ ପ୍ରକୋପରେ ମନ୍ଦିର ସମ୍ମୁଖରେ ରହିଥିଲା ଏକ ବିରାଟକାୟ ଆମ୍ବଗଛ ଭାଙ୍ଗି ଯାଇ ମନ୍ଦିର ଉପରେ ପଡିଥିଲା। ଏହା ଯୋଗୁଁ ମାଉସୀ ମନ୍ଦିର ଭାଙ୍ଗି ନଷ୍ଟ ହୋଇଯାଇଛି। ଏଯାଏଁ ମନ୍ଦିର ମରାମତି କାର୍ଯ୍ୟ ହୋଇପାରି ନାହିଁ। ଆଗକୁ ରଥଯାତ୍ରା ଆସୁଅଛି ଠାକୁର କେଉଁଠି ରହିବେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନର ଉଦାସୀନତା ଯୋଗୁଁ ମାଁ ମାଁଉସୀ ମନ୍ଦିର ନିର୍ମାଣ କିମ୍ବା ମରାମତି କାର୍ଯ୍ଯ ଏଯାଏଁ ହୋଇପାରିଲା ନାହିଁ। ଏବେ ଶ୍ରଦ୍ଧାଳୁଙ୍କ ମନରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପଟେ ପାଖେଇ ଆସିଲାଣି ଘୋଷଯାତ୍ରା। ଆଗାମୀ ରଥଯାତ୍ରା ପାଇଁ କମିଟିର ସଦସ୍ୟମାନେ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ, କିନ୍ତୁ ମନ୍ଦିର ଭଙ୍ଗାରୁଜା ଅବସ୍ଥାରେ ରହିଅଛି ତାହାକୁ ନେଇ କ’ଣ ପଦକ୍ଷେପ ନିଆଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭଗବାନଙ୍କ ପ୍ରତି ଯଦିବା ସ୍ଥାନୀୟ ବୁଦ୍ଧିଜୀବୀ, ଜନପ୍ରତିନିଧି ଜନସାଧାରଣଙ୍କ ଭକ୍ତି ଓ ଶ୍ରଦ୍ଧା ରହିଛି କାହିଁକି ମାଉଁସୀ ମାଁ ମନ୍ଦିରକୁ ମରାମତି କିମ୍ବା ନୂତନ ମନ୍ଦିର ନିର୍ମାଣ ପାଇଁ ଚେଷ୍ଟା କରାଗଲା ନାହିଁ? ଜରାଜୀର୍ଣ୍ଣ ଓ ଅବହେଳିତ ଭାବରେ କାହିଁକି ପଡ଼ିରହିଲା ମାଉସୀ ମାଁ ମନ୍ଦିର? ଥୁଆମୂଳ ରାମପୁର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ ଏଦିଗରେ କାହିଁକି ଧ୍ଯାନ ଦେଲେନାହିଁ ଏହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି।