“ହେରା ପଞ୍ଚମୀ” ଦେବ ଦମ୍ପତିଙ୍କ ମାନବୀୟ ଲୀଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏବେ ସମଗ୍ର ଜଗତ ହୋଇ ଉଠିଛି ଜଗନ୍ନାଥମୟ। ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ମହାପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ବାହାରି ଦାରୁ ନିର୍ମିତ ରଥରେ ବିଜେ କରି ଯାଇଛନ୍ତି ଗୁଣ୍ଡିଚା ମନ୍ଦିରକୁ ଓ ଯଜ୍ଞବେଦୀରେ ବିଜେ ହୋଇଛନ୍ତି। ଶ୍ରୀମନ୍ଦିରରେ ଏକୁଟିଆ ହୋଇପଡିଛନ୍ତି ମାଆ ମହାଲକ୍ଷ୍ମୀ। ଜଗନ୍ନାଥ ବିହୁନେ ଶ୍ରୀମନ୍ଦିର ଖାଁ ଖାଁ ଲାଗୁଛି। ମହାପ୍ରଭୁ ଯିବାର ପାଞ୍ଚ ଦିନ ହେଲାଣି। ମହାଲକ୍ଷ୍ମୀ ଶ୍ରୀମନ୍ଦିର ସାରା ଜଗନ୍ନାଥଙ୍କୁ ଖୋଜି ଖୋଜି ନିରାଶ ହେବାପରେ ମାଆ ବିମଳାଙ୍କୁ ଏ ସମ୍ପର୍କରେ ଜିଜ୍ଞାସା କରିଛନ୍ତି। ମାଆ ବିମଳା ରଥଯାତ୍ରା ସମ୍ପର୍କରେ ସୂଚନା ଦେବା ସହ ମହାଲକ୍ଷ୍ମୀଙ୍କୁ ମୋହଚୂର୍ଣ୍ଣ ପ୍ରଦାନ କରିଛନ୍ତି। ମହାଲକ୍ଷ୍ମୀ ଏକ ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ଘଣ୍ଟ, ଘଣ୍ଟା, କାହାଳି ଓ ବାଦ୍ୟର ତାଳେ ତାଳେ ସେବାୟତଙ୍କ ସହ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାଉଛନ୍ତି। ଗୁଣ୍ଡିଚା ମନ୍ଦିରରେ ଯଜ୍ଞବେଦୀରେ ଅସୁମାରୀ ଅଭିମାନ ଭରା ହୃଦୟରେ ଜଗନ୍ନାଥଙ୍କୁ ଅଭିଯୋଗ କରିଛନ୍ତି। ଭାଇ ଭଉଣୀଙ୍କୁ ସାଙ୍ଗରେ ବହାରିଆସିଲ ସାଆନ୍ତେ। ମୋତେ କାହିଁକି ସାଙ୍ଗରେ ଆଣିଲେ ନାହିଁ। ଏହିଭଳି ଅଭିମାନ ପ୍ରଦର୍ଶନ କରିବା ସହ ମାଆ ବିମଳା ଦେଇଥିବା ମୋହଚୂର୍ଣ୍ଣ ଜଗନ୍ନାଥଙ୍କ ଉପରକୁ ନିକ୍ଷେପ କରିଛନ୍ତି। ମୋହଚୂର୍ଣ୍ଣ ପ୍ରଭାବରେ ଜଗନ୍ନାଥଙ୍କ ମୋହଭଙ୍ଗ ହୋଇଛି। ତିନିଦିନ ପରେ ଶ୍ରୀମନ୍ଦିରକୁ ଫେରି ଆସିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଡ଼ପ ମଣ୍ଡପରେ ନୀତିକାନ୍ତ ପରେ ଟେରା ବାଡ଼ ପଡିଯିବାରୁ ଅଭିମାନିନୀ ମହାଲକ୍ଷ୍ମୀ ମହାପ୍ରଭୁଙ୍କୁ ଦେଖିନପାରି ରାଗ ତମ ତମ ହୋଇ ଶ୍ରୀମନ୍ଦିର ଫେରି ଆସିଛନ୍ତି। ଆସିବା ବାଟରେ ନନ୍ଦିଘୋଷ ରଥର ଏକ କାଠ ଭାଙ୍ଗି ଦେଇଛନ୍ତି। ଜଗତର ନାଥ ଦାରୁବ୍ରହ୍ମ ଦେବତା ହେଲେହେଁ ଏହିଭଳି ମାନବୀୟ ଲୀଳା କରୁଛନ୍ତି। ନିଚ୍ଛକ ଓଡ଼ିଆ ପରିବାରର ଦାମ୍ପତ୍ୟ ଜୀବନର ସ୍ଵାମୀ-ସ୍ତ୍ରୀ ସମ୍ପର୍କର ପ୍ରତିଫଳନ ଏହି ହେରା ପଞ୍ଚମୀରେ ଦେଖିବାକୁ ମିଳିଥାଏ। ଯଦିଓ ହେରାପଞ୍ଚମୀ ଆଷାଢ଼ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଅନୁଷ୍ଠିତ ହୋଇଥାଏ ତେବେ ରଥଯାତ୍ରାର ପଞ୍ଚମ ଦିନ ହେଉଥିବାରୁ ଏହାକୁ ହେରାପଞ୍ଚମୀ କୁହାଯାଏ। ହେରାପଞ୍ଚମୀ ପରେ ରଥର ଦକ୍ଷିଣ ମୋଡ଼ କରାଯାଇଥାଏ। ଅର୍ଥାତ ବାହୁଡା ଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ। ତିନିଦିନ ପରେ ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତିଥିରେ ବାହୁଡା ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।

Omkar Vasthu
Omkar Vasthu

ଭବାନୀପାଟଣାରେ ମଧ୍ୟ ହର୍ଷ ଉଲ୍ଲାସର ସହ ମଙ୍ଗଳବାର ରାତିରେ ହେରା ପଞ୍ଚମୀ ଅନୁଷ୍ଠିତ ହୋଇଛି। ଜଗନ୍ନାଥ ମନ୍ଦିରରୁ ଏକ ସୁସଜ୍ଜିତ ବିମାନରେ ମହାଲକ୍ଷ୍ମୀ ଠାକୁରାଣୀଙ୍କୁ ବିରାଜମାନ କରି ଘଣ୍ଟ, ଘଣ୍ଟା ଓ ବାଦ୍ୟର ତାଳେ ତାଳେ ସେବାୟତ ଓ ଶହ ଶହ ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ସହର ପରିକ୍ରମା କରି ଗୁଣ୍ଡିଚା ମନ୍ଦିରକୁ ଅଣାଯାଇଥିଲା। ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରରେ ପହଂଚିବା ପରେ ବିଧି ବିଧାନ ପୂର୍ବକ ନୀତିକାନ୍ତି ସମ୍ପାଦିତ ହୋଇଥିଲା। ଜଗନ୍ନାଥଙ୍କ ଆଜ୍ଞାମାଳ ପାଇବା ପରେ ମାଆ ମହାଲକ୍ଷ୍ମୀ ବିମାନରେ ଜଗନ୍ନାଥ ମନ୍ଦିର ଅଭିମୁଖେ ବାହାରିଥିଲେ। ଫେରିବା ବାଟରେ ଜଗନ୍ନାଥଙ୍କ ରଥର ଏକ କାଠ ଭାଙ୍ଗିଦେଇ ଜଗନ୍ନାଥ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଦେବ ଦମ୍ପତି ଜଗନ୍ନାଥ-ମହାଲକ୍ଷ୍ମୀଙ୍କ ମାନବୀୟ ଲୀଳା “ହେରାପଞ୍ଚମୀ” ଦେଖିବା ପାଇଁ ଗୁଣ୍ଡିଚା ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.