ଉତ୍ତମ ସେବା ପ୍ରଦାନ କରିପାରୁନାହିଁ ଧଅଁରାମାଲର ଜିଓ ନେଟୱର୍କ

ଅନଲାଇନ କାର୍ଯ୍ୟ ବାଧାପ୍ରାପ୍ତ, ଅସନ୍ତୋଷ ଉପଭୋକ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବର୍ତ୍ତମାନର ସମୟରେ ପ୍ରତ୍ୟେକ କ୍ଷେତ୍ରରେ ଇଣ୍ଟରନେଟ ସେବା ଜରୁରୀ ହୋଇ ପଡ଼ିଥିବା ବେଳେ ନର୍ଲା ବ୍ଲକ ରୁପ୍ରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧଅଁରାମାଲ ତଥା ଏହି ଅଞ୍ଚଳବାସୀଙ୍କ ପାଇଁ କେବଳ ଜିଓ ନେଟୱର୍କ ଏକ ମାତ୍ର ବିକଳ୍ପ ପାଲଟିଥିଲା। ଧଅଁରାମାଲଠାରେ ପ୍ରାୟ ଆଠ ମାସ ହେବ ଜିଓ ନେଟୱର୍କର ଏକ ଟାଓ୍ବାର ସ୍ଥାପିତ ହୋଇଛି। ତେବେ ଏହା ଠିକ୍ ଭାବରେ କାମ କରୁନଥିବା ଅଭିଯୋଗ ହେଉଛି। ଗୋଟିଏ ଡାଟା ଅପଲୋଡ଼ କିମ୍ବା ଡାଉନଲୋଡ କରିବାକୁ ହେଲେ ଘଣ୍ଟା ଘଣ୍ଟା ବିତି ଯାଉଛି, ହେଲେ ଅନିଶ୍ଚିତତା ଭିତରେ କାର୍ଯ୍ୟ କରୁଛି ଡାଟା। ଜିଓ ଟାଓ୍ବାର ଲାଗିଥିବା ଧଅଁରାମାଲ ଠାରୁ ମାତ୍ର ୪୦୦ ମିଟର ଦୂରରେ ଅବସ୍ଥିତ ପିପୋଲପଡା ଠାରେ ମଧ୍ୟ ଏହା ଠିକ୍ ଭାବରେ କାମ କରୁନାହିଁ। ଘର ଭିତରେ ରହି ମୋବାଇଲରେ ଭଲ ଭାବରେ କଥା ହେବା ସମ୍ଭବ ହେଉନଥିବା ବେଳେ ଫୋର୍-ଜି ସେବା ମଧ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଯଦି ଟାଓ୍ବାର ପାଖରେ ଏମିତି ଅବସ୍ଥା ତେବେ ଆଖପାଖ ଅଞ୍ଚଳ କଥା ନକହିବା ଭଲ। ଧଅଁରାମାଲ ଗ୍ରାମର ପାର୍ଶ୍ବବର୍ତ୍ତି ଗ୍ରାମ କଲାରପଦର, ଟୁଟିଙ୍ଗ, ଗୁଡିପଟା ଆଦିର ଜିଓ ଉପଭୋକ୍ତାମାନେ ମଧ୍ୟ ଠିକ୍ ଭାବରେ ସେବା ପାଉନଥିବା ଯୋଗୁଁ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଅନେକ ସମୟରେ ଜିଓ ଉପଭୋକ୍ତାମାନେ ଇଣ୍ଟରନେଟ ସେବାରୁ ବଞ୍ଚିତ ରହୁଥିବା ଦେଖାଯାଇଛି। ଧିମା ଇଣ୍ଟରନେଟ ଯୋଗୁଁ ଅନଲାଇନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ଅତିଶିଘ୍ର ଏହି ନେଟୱର୍କକୁ ସଜାଡି ଉତ୍ତମ ସେବା ଯୋଗାଇଦେବାକୁ ଅଞ୍ଚଳର ଜିଓ ଉପଭୋକ୍ତାମାନେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.