ଓଡ଼ିଆ ବାର୍ତ୍ତା/ କେସିଙ୍ଗା/ ଉତ୍କେଲା (ମଧୁସୂଦନ ଠାକୁର/ ଅର୍ଜୁନ ପୋଢ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ମାଲପଡା-ପଥର୍ଲା ତିନି ଛକ ନିକଟରେ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି କେସିଙ୍ଗା ଥାନା ପୋଲିସ । ମୃତ ଯୁବକ ଜଣକ ପଥର୍ଲା ଗାଁର କେଶରୀ ବାଗଙ୍କ ପୁଅ କିଷାନ ବାଗ (୨୫) ବୋଲି ଜଣାପଡିଛି । ସେ କୈାଣସି କାରଣରୁ ଆତ୍ମହତ୍ୟା କରିଛନ୍ତି, ନା ତାଙ୍କୁ କେହି ହତ୍ୟା କରିଛି ଏନେଇ ସ୍ପଷ୍ଟ ହୋଇନଥିବା ବେଳେ ପରିବାର ଲୋକ ଏହା ଏକ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ କିଶାନ ଗତ ୧୮ ତାରିଖରୁ ନିଜ ଭଉଣି ଘର ଲଇତରାକୁ ଯାଉଛି କହି ଘରୁ ବାହାରିଥିଲେ । ସେହି ଦିନଠୁ ସେ ଭଉଣୀ ଘରକୁ ବି ଯାଇ ନଥିବା ତାଙ୍କ ଭଉଣି ପ୍ରକାଶ କରିଛନ୍ତି । ଏପଟେ ପରିବାର ଲୋକେ କେହି ତାଙ୍କୁ ମାରି ଆଣି ଏଠି ଝୁଲନ୍ତା ଅବସ୍ଥାରେ ଗଛରେ ଟାଙ୍ଗି ଦେଇଥିବା ଓ ନିଶ୍ଚୟ ହତ୍ୟା କରାଯାଇଛି ବୋଲି ଦୃଢ ଦାବୀ କରି ଉଚିତ ତଦନ୍ତ କରିବା ପାଇଁ ପୋଲିସ ପାଖରେ ଗୁହାରି କରୁଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଭବାନୀପାଟଣାରୁ ସାଇଣ୍ଟିଫିକ ଟିମ ସହିତ କେସିଙ୍ଗା ଏସଡିପିଓ ଅଭିନବ ସୋନକର ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଏନେଇ କେଶ ନମ୍ବର ୨୯/ ୨୦ରେ ଏକ ଅପମୃତୁ ମାମଲା ରୁଜୁକରି ତଦନ୍ତ ଜାରିରହିଥିବା କେସିଙ୍ଗା ପୋଲିସ ସୂତ୍ରରୁ ସୂଚନା ମିଳିଛି ।