ଫାର୍ମାସିଷ୍ଟ ହେମନ୍ତ ସାହୁଙ୍କ ଅବଦାନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଉର୍ଲଦାନୀ ପଂଚୟତ । ଏହି ପଂଚାୟତଟି ଆଦିବାସୀ ଅଧ୍ୟୁଷିତ ପଂଚାୟତ ହେଇଥିବାବେଳେ କଳାହାଣ୍ଡିର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ପାଇଁ ସାରା ଓଡ଼ିଶାରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଏହି ପଂଚାୟତ କଳାହାଣ୍ଡିର ଶେଷସୀମା (କନ୍ଧମାଳ) ସୀମାନ୍ତରେ ରହିଥିବା ବେଳେ ଏହି ଅଂଚଳଟିର ମ.ରାମପୁରଠାରୁ ଦୂରତା ପ୍ରାୟ ପନ୍ଦର କିଲୋମିଟର । ଆଦିବାସୀଙ୍କ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ୨୦୧୨ ମସିହାରେ ଏହି ପଂଚାୟତରେ ପ୍ରତିଷ୍ଠା କରାଗଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମୁଖ୍ୟାଳୟରେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିବାବେଳେ ମୋହନଗିରୀ, ମଦନପୁର, ଉର୍ଲାଦାନୀ ଓ ବାରବନ୍ଧାରେ ରହିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ତେବେ ବାରବନ୍ଧା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ଗୋଟିଏ ଘରୋଇ ଅନୁଷ୍ଠାନ ଦ୍ୱାରା ପରିଚାଳିତ । ଉର୍ଲାଦାନୀଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବରେ ହେମନ୍ତ ସାହୁ ଯୋଗଦେବା ପରେ ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି କେନ୍ଦ୍ର ପରିସରର ପରିବେଶକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇଆସିଛନ୍ତି, ଯାହାର ଜ୍ୱଳନ୍ତ ନମୁନା ହେଉଛି ଏହିଠାରେ ଥିବା ବିଭିନ୍ନ ଔଷଧୀୟ ଗଛର ସମାହାର । ନିଜସ୍ୱ ଉଦ୍ୟମ ଓ ନିଷ୍ଠା ବଳରେ ସେ ତିଆରି କରିଛନ୍ତି ଔଷଧୀୟ ବଗିଚା । ଯୋଉଠି ଅନେକ ବହୁମୂଲ୍ୟ ଓ ଦୁଷ୍ପ୍ରାପ୍ୟ ଔଷଧୀୟ ଗଛ ସବୁ ତାଙ୍କରି ସେବା ଯତ୍ନ ପାଇ ସୁନ୍ଦର ଓ ସତେଜ ରହିଛନ୍ତି । ସେହିସବୁ ମୂଲ୍ୟବାନ ବୃକ୍ଷରାଜି ମଧ୍ୟରେ ରହିଛି, ଭୃଙ୍ଗରାଜ, ପୁଦିନା, ଡ଼ାଲଚିନି, ତେଜପତ୍ର, ଗୋଲ ମରୀଚ, ଲବଙ୍ଗ, ଅଳେଇଚ, ଗଙ୍ଗଶିଉଳୀ, ଗେଲୋଇ, ବିଲଲ୍ୟକରଣୀ, ଦେଷଣ୍ଢ, ଏଲୋଭେରା, ଛଚ୍ଛାବରୀ, ତୁଳସୀ, ଲେମନ୍ ଗ୍ରାସ୍, ଅଶ୍ୱଗନ୍ଧା, ଜୁଆଣି, ହାଡ଼ ଶିକଲୀ, ଗୁଡ଼ମାରୀ, ଅଁଳା, ରିଠା, ଅଦା, ହଳଦୀ ଭଳି ଅନେକ ପ୍ରକାର ଔଷଧୀୟ ଗଛ । କେବଳ ଯେ ଏହି ପରିସରରେ ଔଷଧୀୟ ଗଛ ରହିଛି ତାନୁହେଁ ସେ ଆମ୍ବ, ପଣସ, ଅମୃତଭଣ୍ଡା, କଦଳୀ, କଲରା, ଭେଣ୍ଡି, କାକୁଡ଼ି, ପାଣି କକ୍ଷାରୁ ଭଳି ଗଛ ଲଗେଇ ମଧ୍ୟ ନିଜ ବୃକ୍ଷ ପ୍ରତି ରହିଥିବା ଅନୁରାଗ ଓ ଭଲପାଇବା ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରର ପ୍ରବେଶଦ୍ୱାର ଦୁଇ ପାଶ୍ୱର୍ରୁ ଆରମ୍ଭ କରି ହତା ମଧ୍ୟରେ ଏହି ସବୁ ଗଛ ବ୍ୟତିରେକ ସମସ୍ତଙ୍କୁ ସ୍ୱାଗତ କରନ୍ତି ଜାତିଜାତିକା ଫୁଲରାଜି । ସୁନ୍ଦର ସୁନ୍ଦର ଫୁଲ, ଫୁଲକଢିରେ ଏକପ୍ରକାର ପାର୍କର ଭ୍ରମ ସୃଷ୍ଟି କରୁଛି ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି । ଫାର୍ମାସିଷ୍ଟ ହେମନ୍ତ ସାହୁ ଏହି କେନ୍ଦ୍ରରେ ଯୋଗଦେବା ପରଠାରୁ ପର୍ଯ୍ୟାୟକ୍ରମେ ଏହି ସବୁ ଗଛ ଲଗେଇ ସଜେଇବା ସହିତ ଔଷଧୀୟ ଗଛ ଗୁଡ଼ିକରେ ଗଛର ନାମଫଳକ ବି ଲଗେଇଛନ୍ତି, ଯାହାଫଳରେ ଜଣେ ଗଛ ଚିହ୍ନିବାରେ ଭୁଲ ହେବ ନାହିଁ ଏବଂ ସଠିକ ଗଛରୁ ନିଜ ପାଇଁ ଉପଯୋଗୀ ଗଛର ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ପାରିବ । ଆଦିବାସୀ ଅଧ୍ୟୁଷିତ ଏହି ପଂଚାୟତର ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡ଼ାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଲାବ୍ରୋଟାରୀ ଟେକ୍ନିସିଅନ ଙ୍କ ସମେତ ଅନ୍ୟମାନେ ରହି ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଦେଉଥିବାବେଳେ ଆକର୍ଷଣୀୟ ବୃକ୍ଷର ସମ୍ଭାର ପାଇଁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ । ସରକାରୀ ହତା ହେଲେ ମଧ୍ୟ ନିଜ ଘର ଭଳି ଗଛ ଗୁଡ଼ିକର ଯତ୍ନ ପାଇଁ ଫାର୍ମାସିଷ୍ଟ ହେମନ୍ତ ସାହୁଙ୍କ ଅବଦାନକୁ ଅଂଚଳବାସୀ ଭୁରି ଭୁରି ପ୍ରଶଂସା କରିବା ସହିତ ଅନ୍ୟ ସମସ୍ତ ପ୍ରାଥମିକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ କିଛି ଶିଖିବା ଉଚିତ ବୋଲି ମତପ୍ରକାଶ କରିଛନ୍ତି ।