ଓଡ଼ିଆ ବାର୍ତ୍ତା/ ସିମଲା: ହିମାଚଳପ୍ରଦେଶରେ କଂଗ୍ରେସ ଶାସନକୁ ଫେରିବ । ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ହିମାଚଳ ପ୍ରଦେଶରେ ୧୯୭୭ ମସିହାରୁ ହୋଇଥିବା ସମସ୍ତ ନିର୍ବାଚନରେ ଶାସନ ପରିବର୍ତ୍ତନ ହେବାର ଉଦାହରଣ ରହିଛି । ଥରେ ବିଜେପି ସରକାର କଲେ ଥରେ କଂଗ୍ରେସ ଏଠାରେ ଶାସନକୁ ଫେରୁଛି । ଏଭଳି ସମୟରେ ଯଦି ହିମାଚଳ ପ୍ରଦେଶରେ କଂଗ୍ରେସ ଶାସନକୁ ନଫେରେ ତେବେ ପ୍ରିୟଙ୍କାଙ୍କ ରାଜନୀତି କ୍ୟାରିୟରେ ଏହା ଏକ ବଡ଼ ପରାଜୟ କୁହାଯାଇପାରେ । ପୂର୍ବରୁ ହିମାଚଳ ପ୍ରଦେଶ ନିର୍ବାଚନରେ ୧୯୭୧ ମସିହାରୁ ରାଜ୍ୟ ଘୋଷଣା ହେବା ପରେ ଏଠାରେ କଂଗ୍ରେସ ୫ ଥର ଶାସନ କରିଥିବା ବେଳେ ବିଜେପି ୪ଥର ଏବଂ ଜନତା ଦଳ ଥରେ ଶାସନ କରିଛି । ଚଳିତ ବର୍ଷ କଂଗ୍ରେସ ଶାସନକୁ ଫେରୁଛି ନା ବିଜେପି ସରକାର ବଂଚାଇ ରଖୁଛି ତାହାକୁ ନେଇ ଆଲୋଚନା ହେଉଛି ।
ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ବ୍ୟସ୍ତ ଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ହିମାଚଳ ପ୍ରଦେଶ ନିର୍ବାଚନର ମଙ୍ଗ ଧରିଥିଲେ । ୬୮ ଆସନ ପାଇଁ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ରେ ବନ୍ଦ ରହିଛି। ତେବେ ଏହାର ଫଳାଫଳ ଉପରେ କଂଗ୍ରେସର ଭବିଷ୍ୟତ ନିର୍ଭର କରୁଛି । ଯଦି କଂଗ୍ରେସ ହିମାଚଳରେ ସରକାର ଗଠନ କରେ । ତେବେ ଏହାର ସବୁ ଶ୍ରେୟ ପ୍ରିୟଙ୍କାଙ୍କୁ ଯିବ । ଯଦି କଂଗ୍ରେସ ହାରେ ତେବେ ଏହାର ପ୍ରଭାବ ୨୦୨୪ ନିର୍ବାଚନରେ କଂଗ୍ରେସକୁ ତଳିତଳାନ୍ତ କରିପାରେ । ସେପଟେ ବିଜେପି ହିମାଚଳରେ ନିର୍ବାଚନ ପରମ୍ପରା ଭାଙ୍ଗି ପୁନର୍ବାର କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଛି । ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ହିମାଚଳର ୬୮ ଆସନରୁ ୪୪ଟିରେ ଜିତିଥିଲା। ଅନ୍ୟପକ୍ଷେ କଂଗ୍ରେସକୁ ୨୧ଟି ଆସନ ମିଳିଥିଲା। ଏଥର ବିଜେପି ଅନେକ ନୂଆ ଚେହେରାଙ୍କୁ ଟିକେଟ ଦେଇଛି । ତେବେ ଏହି ଚେହରା ବିଜେପିକୁ କେତେ ସହାୟ ହେଉଛି ତାହା ଫଳାଫଳ ଆସିବା ପରେ ଜଣାପଡିବ । ହିମାଚଳରେ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ପାଇଁ ପ୍ରଚାର କରିଥିବାବେଳେ କଂଗ୍ରେସ ପାଇଁ ପ୍ରିୟଙ୍କା ଗାନ୍ଧି ଭଦ୍ରା, ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ହିମାଚଳ ପ୍ରଦେଶରେ ନିର୍ବାଚନ ପ୍ରଚାର କରିଛନ୍ତି। ଗୁଜରାଟରେ କଂଗ୍ରେସ ସରକାର ଗଠନ କରିପାରିବ ନାହିଁ ଏକଥା ସମସ୍ତେ ଚର୍ଚା କରୁଛନ୍ତି । କିନ୍ତୁ କଂଗ୍ରେସ ପାଇଁ ହିମାଚଳରେ ନିର୍ବାଚନ ଜିତିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।