ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଯୁବ ସାମ୍ବାଦିକ ହେମନ୍ତ ସାହୁଙ୍କୁ ‘ମହମ୍ମଦ ଅସଲମ ସ୍ମୃତି ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଛି। ମ.ରାମପୁର ପ୍ରମେୟ ଖବରକାଗଜ ପ୍ରତିନିଧି ତଥା ଓଡିଆ ବାର୍ତ୍ତାର ସ୍ବତନ୍ତ୍ର ପ୍ରତିନିଧି ଥିବା ହେମନ୍ତ ସାହୁ ଜଣେ ନିରପେକ୍ଷ ସାମ୍ବାଦିକ ଭାବେ ସୁପରିଚିତ। ସେ ସମାଜ ପାଇଁ ସାଜିଛନ୍ତି ପରିବର୍ତ୍ତନର ବାର୍ତ୍ତାବହ। ନିଜର ଲେଖନୀ ମୁନରେ ଅନେକ ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବାସହ ଅସହାୟଙ୍କ ମୁଖରେ ହସ ଫୁଟେଇପାରିଛନ୍ତି। କେବଳ ଜଣେ ସାମ୍ବାଦିକ ଭାବରେ ନୁହେଁ ସମାଜର ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହି ସେ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି। ଏହାସହ ସେ ଜଣେ ସୁସାହିତ୍ୟିକ ଭାବେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ତେଣୁ ତାଙ୍କୁ ୨୦୨୨ ମସିହା ପାଇଁ ପ୍ରଥମ ମହମ୍ମଦ ଅସଲମ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି।
ମ.ରାମପୁର ବିଜୁ କଲ୍ୟାଣ ମଣ୍ଡପ ଠାରେ ଆଜି କଳାହାଣ୍ଡି ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦିକିନୀ ସିଂଦେଓ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ମ.ରାମପୁର ବିଡ଼ିଓ ବିନୟ କୁମାର ଭୋଇ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଦ୍ୱିବେଦୀ, ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ ପ୍ରମୁଖ ଉପସ୍ଥିତ ରହି ହେମନ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।