ଆଜି ଅଶୋକାଷ୍ଟମୀ, ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ରୁକୁଣା ରଥଯାତ୍ରା ପ୍ରଭୁ ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। ଏହା ପୁରୀର ରଥଯାତ୍ରା ଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା।

କିମ୍ବଦନ୍ତୀ

ପୌରାଣିକ କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ରାବଣକୁ ହତ୍ୟାକରି ସୀତାଙ୍କୁ ଉଦ୍ଧାର କରିଥିଲେ । ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଲା । ଏହିପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ କଥା ଅନୁସାରେ ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ୱରଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାକଲେ । ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ କ’ଣ ବର ଚାହଁ ବୋଲି ପଚାରିଲେ । ଶେଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର (ଲିଙ୍ଗରାଜ) ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ । ସେହିଦିନଠାରୁ ତାଙ୍କୁ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି । ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ଏହି ରଥଯାତ୍ରା ହୋଇ ଆସୁଛି । ଏହାବ୍ୟତୀତ ରଥଯାତ୍ରାର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି ଯେ ମା’ ଭୁବନେଶ୍ୱରୀ ଏହିଦିନ ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହ ସୁରାସରକୁ ବଧ କରିବା ପାଇଁ ଯାତ୍ରା କରିଥାନ୍ତି ।

ରଥର ବିଶେଷତା

ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଚୈତ୍ର ଶୁକ୍ଳ ଅଷ୍ଟମୀ (ଅଶୋକାଷ୍ଟମୀ) ଦିନ ଗୋଟିଏ ରଥରେ ରାମେଶ୍ୱର ମନ୍ଦିରକୁ ନିଆଯାଇ ପାଞ୍ଚଦିନ ସେଠାରେ ଅବସ୍ଥାପିତ କରି ପୁଣି ବଡ଼ଦେଉଳକୁ ବାହୁଡ଼ାଇ ଅଣାଯାଏ । ଯିବା ବାଟରେ ଅନେକ ପୂଜାର୍ଚ୍ଚନା ପୂର୍ବକ ଅଧରପଣାର ଲାଗି କରାଯାଇଥାଏ । ଏହାକୁ ଦେଖିବା ଲାଗି ଭକ୍ତଙ୍କର ଗହଳି ଲାଗିରହିଥାଏ । ବିଶ୍ୱାସ ରହିଛି ଲିଙ୍ଗରାଜଙ୍କ ରାମେଶ୍ୱର ମନ୍ଦିରକୁ ଗମନ ଅବସରରେ ରାମଚନ୍ଦ୍ର ପୂଜାର୍ଚ୍ଚନା କରିବାର ସୁଯୋଗ ପାଇଥାନ୍ତି । ଲିଙ୍ଗରାଜ ମନ୍ଦିର ଠାରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରଥକୁ ଟଣାଯାଏ । ରାମଚନ୍ଦ୍ରଙ୍କ କଥାକୁ ରଖି ପ୍ରତିବର୍ଷ ଅଶୋକାଷ୍ଟମୀ ତିଥିରେ ଦୋଳଗୋବିନ୍ଦ ଓ ରୁକୁଣାଙ୍କୁ ଧରି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର (ମାଉସୀ ମା’ ମନ୍ଦିର) ମନ୍ଦିରକୁ ଯାତ୍ରା କରିଥାନ୍ତି । ଏହି ରଥର ଉଚ୍ଚତା ୫୦ ଫୁଟ ଓ ୪ ଚକ, ୨ଓରା, ୧୬ନାହାକା, ୫ଦଣ୍ଡା ବିଶିଷ୍ଟ; ରଥର ନାମ ରୁକ୍ମଣୀ ବା ରୁକୁଣା ରଥ । ଏହି ରଥଟିର ବିଶେଷତ୍ୱ ହେଉଛି ରଥଟି ଅଣଲେଉଟା । ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ରଥର ପଛପଟେ ଦ୍ୱାର ଖୋଲାଯାଇ ଘୋଡା ଜଚାଯିବା ପରେ ଏହା ପଛକୁ ପଛ ଫେରିଥାଏ । ଜଗନ୍ନାଥ ମହାପ୍ରଭୁଙ୍କ ପରି ରଥ ଦକ୍ଷିଣ ମୋଡ ବା ବୁଲିନଥାଏ । ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ । ଏଇରଥ ଯେଉଁଆଡ଼େ ମୁହଁକରି ଯାଇଥାଏ ସେ ଆଡ଼ରୁ ଆଉ ମୁହଁ ଫେରାଏ ନାହିଁ । ବାହୁଡ଼ା ଦିନ ରଥର ଆଗପାଖର ସାଜସଜ୍ଜାକୁ ଆଣି ପଛ ପାଖରେ ଲଗାଇ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କଉ ବାହୁଡ଼ାଇ ଅଣାଯାଏ । ଏଥିପାଇଁ ଢଗ ଅଛି ଯେ ‘ରୁକୁଣା ରଥ ଅଣଲେଉଟା/ ଆଉ ନ ଫେରେ’ ।

ରୁକୁଣା ରଥର ସାରଥୀଙ୍କୁ କୁହାଯାଏ ‘ବ୍ରହ୍ମା’ । ଅଶୋକାଷ୍ଟମୀ ଦିନ, ୮ଟି ଅଶୋକା କଢ଼ି ପକାଇ, ସେହି ଜଳ ପାନକଲେ, ଦୁଃଖଶୋକ ଲାଘବ ହେବାର ମାନ୍ୟତା ରହିଛି । ସନ୍ତାନ ହେଉନଥିବା ବା ସନ୍ତାନ ହୋଇ ମରିଯାଉଥିବା ମହିଳାମାନେ ଅଶୋକାଷ୍ଟମୀ ପୂର୍ବଦିନ ଅଧିବାସ କରି, ଅଶୋକାଷ୍ଟମୀ ଦିନ ମରିଚି କୁଣ୍ଡର ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହେବାର ମଧ୍ୟ ମାନ୍ୟତା ରହିଛି । ଏଥିଯୋଗୁଁ ମରିଚି କୁଣ୍ଡର ପ୍ରଥମ ଗରା ଜଳ ଖୁବ ଉଚ୍ଚଦରରେ ନିଲାମ ମଧ୍ୟ ହୋଇଥାଏ ।

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.