ଅନନ୍ୟ ହାସ୍ୟ କଳାକାର ଓ ମଞ୍ଚ ପରିଚାଳକ ଓମପ୍ରକାଶ ମାଝୀ

ଜାତୀୟ ସମ୍ମାନ ପାଇ ଆଣିଛନ୍ତି ଗୌରବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ପ୍ରତିଭା ବଳରେ ଜିଣି ହୁଏ ସବୁରି ହୃଦୟ। ପଙ୍କରୁ ପଦ୍ମ ଜାତ ହେଲା ପରି ନିଜ ପ୍ରତିଭା ବଳରେ ଗାଁରୁ ବାହାରି ଦିଲ୍ଲୀ ଯାଏଁ ନିଜର ପ୍ରତିଭା ପ୍ରଦର୍ଶନ କରିହୁଏ। ସେମିତି ଜଣେ ଅନନ୍ୟ କଳାକାର ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ଗ୍ରାମର ହାସ୍ୟ କଳାକାର ଓମପ୍ରକାଶ ମାଝୀ। ନିକଟରେ ସେ ବ୍ଲ୍ୟୁ ଡାଏମଣ୍ଡ ଏଫଏମ ମ୍ୟୁଜିକ ଆୱାର୍ଡ଼ ୨୦୨୨ ଭାରତର ରାଜଧାନୀ ଦିଲ୍ଲୀ ରେଡ଼ିଓ ଷ୍ଟେସନରେ ପାଇଛନ୍ତି। କମର୍ଦ୍ଧାର ଶେଷ ମାଝୀ ଓ ସ୍ବର୍ଗତ ସେବତୀ ମାଝୀଙ୍କ କନିଷ୍ଟ ପୁତ୍ର ହେଉଛନ୍ତି ଓମପ୍ରକାଶ। ସେ ନବମ ଶ୍ରେଣୀରେ ପାଠ ପଢିବା ବେଳେ ମାଙ୍କ ଦେହାନ୍ତ ପରେ ବାପାଙ୍କୁ ଚାଷ କାମ ଓ ଘର କାମରେ ସହଯୋଗ କରିବା କାରଣରୁ ପାଠ ପଢାରେ ଡୋରି ବନ୍ଧା ହେଲା। କିନ୍ତୁ ନିଜର ଇଚ୍ଛା ଶକ୍ତି ବଳରେ ସେ ତାଙ୍କ ପ୍ରତିଭାକୁ ବିକାଶ ଦିଗରେ ଯତ୍ନ କରୁଥିଲେ। ପିଲାଟି ଦିନରୁ ରାତିରେ ଘର ଠାରୁ ଅଳ୍ପ ଦୂରକୁ ଯାଇ ପଶୁ ପକ୍ଷୀ, ଯାନ ବାହାନ, ଅଭିନେତା ଅଭିନେତ୍ରୀ, ବୁଢ଼ା ବୁଢ଼ୀଙ୍କ ସ୍ୱର, ପାଟିରେ ଘୁମୁରା ବାଦ୍ୟ, ବିଭିନ୍ନ ଯନ୍ତ୍ର ସଙ୍ଗୀତକୁ ନିଜ ପାଟିରେ ଅତି ଚମତ୍କାର ଭାବରେ ଫୁଟେଇ ପାରନ୍ତି। ୨୦୧୭ ମସିହାରେ ପ୍ରଥମେ ମୁଣ୍ଡାଗାଁ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ। ଏହି ମଞ୍ଚରେ ନିଜର ସମସ୍ତ ପ୍ରତିଭା ବଳରେ ସେ ଦର୍ଶକଙ୍କ ହୃଦୟ ଜିଣି ପାରିଥିଲେ। ତା’ପରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢ଼ୀପଦର, ଯୁଗ ଯାତ୍ରୀ ସାହିତ୍ୟ ସଂସଦ, ସମ୍ବଲପୁରର ହୀରାଖଣ୍ଡ ରେଡ଼ିଓ ଷ୍ଟେସନ, ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ବଲାଙ୍ଗୀରରେ ନିଜର କାର୍ଯ୍ୟକ୍ରମ କରିଥିଲେ। ଏହାବାଦ୍ ସୁବର୍ଣ୍ଣପୁର, ବଲାଙ୍ଗୀର, ରାୟଗଡ଼ା ଓ ଛତିଶଗଡ଼ର ରାୟପୁର ଭଳି ବିଭିନ୍ନ ମଞ୍ଚରେ ସେ ସ୍ୱର ପ୍ରଦର୍ଶନ କରି ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ପ୍ରିୟ ଭାଜନ ହେଇ ପାରିଛନ୍ତି। ସେ ମଞ୍ଚ ପରିଚାଳନା ମଧ୍ୟ କରନ୍ତି। ଅତି ଅଳ୍ପ ବୟସରେ କଳା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବରେ ଦେବଗିରି କଳା ସମ୍ମାନ ପ୍ରାପ୍ତ ହୋଇଛନ୍ତି। ଏହାସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି ଓମପ୍ରକାଶ। ଏହି ପ୍ରତିଭା ପାଇଁ ସେ ନିଜ ବଡ଼ ଭାଇ ହାସ୍ୟ ଅଭିନେତା ତଥା ଗୁରୁ ଲୋଚନ ମାଝୀଙ୍କୁ ନିଜର ପ୍ରେରଣା ବୋଲି କହିଛନ୍ତି। ଆଗାମୀ ଦିନରେ ସେ ନିଜର ପ୍ରତିଭାକୁ ଆହୁରି ବ୍ୟାପ୍ତ କରିବା ସହିତ ଆନ୍ତର୍ଜାତୀୟ ସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି। ସେ ବହୁତ କଷ୍ଟରେ ନିଜର କଳାର ବିକାଶ ଦିଗରେ ଆଗେଇ ଚାଲିଛନ୍ତି। ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ଗ୍ରାମରୁ ସେ ଆସି ନିଜର ଉଦ୍ୟମ ଓ ଇଚ୍ଛା ଶକ୍ତି ବଳରେ ଆଜି ଜାତୀୟ ସ୍ତରରେ ପୁରସ୍କୃତ ହେବା ନିଶ୍ଚିତ ଭାବରେ ଅନ୍ୟ କଳାକାର ମାନଙ୍କ ପାଇଁ ଉଦାହରଣ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.