ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ତରଫରୁ ଆଜି ବିଶ୍ୱନାଥପୁର ଧଅଁରାଭଟାସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ଲାଞ୍ଜିଗଡ଼ ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜ୍ଞାନମେଳାରେ ମୁଖ୍ୟ ଅତିଥି ଭାବେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ନିହାରରଞ୍ଜନ ସାହୁ ଯୋଗ ଦେଇ ବିଜ୍ଞାନମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡ. ନିମାଇଁ ହରିଚରଣ ଗହୀର, ବିଜ୍ଞାନମେଳା ଆୟୋଜନ କମିଟିର ସଂପାଦିକା ତଥା ଗୋପବନ୍ଧୁ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ଏବଂ ଆୟୋଜନ କମିଟିର ସହ-ସଂପାଦକ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କ୍ଷୀରେଶ୍ୱର ପ୍ରଧାନ ପ୍ରମୁଖ ଯୋଗ ଦେଇଥିବାବେଳେ ବିଚାରକ ଭାବେ ବିଜ୍ଞାନଶିକ୍ଷକ ସନ୍ତୋଷ କୁମାର କର, କୁବେରଚନ୍ଦ୍ର ନାୟକ, ଅଖୁନ କୁମାର ଜେନା, ପ୍ରମୋଦ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଶିଷ୍ଟ ଶିକ୍ଷାବିତ୍ ତଥା ଗୋବର୍ଦ୍ଧନପୁର ସିଆର୍ସିସି ତପନ କୁମାର ଭୋଇ । ଏହି ଅବସରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ କନିଷ୍ଠ ବର୍ଗରେ ୪୧ଟି ସ୍କୁଲରୁ ୫୨ଟି ବିଜ୍ଞାନ ପ୍ରକଳ୍ପ, ବରିଷ୍ଠ ବର୍ଗରେ ୨୧ଟି ହାଇସ୍କୁଲରୁ ୩୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । କନିଷ୍ଠ ବର୍ଗରେ ଗୋବର୍ଦ୍ଧନପୁର କ୍ଲଷ୍ଟର ଅନ୍ତର୍ଗତ ଜାମଗୁଡ଼ା ୟୁପି ସ୍କୁଲ ଓ ରାମଚନ୍ଦ୍ରପୁର ୟୁପି ସ୍କୁଲ, ବରିଷ୍ଠ ବର୍ଗରେ କମର୍ଦ୍ଧା ହାଇସ୍କୁଲ, ଭୁର୍ଟିଗଡ଼ ହାଇସ୍କୁଲ, ଧଅଁରାଭଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କାନକୁଟ୍ରୁ ହାଇସ୍କୁଲ ଓ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଇଣ୍ଟରନେସ୍ନାଲ ସ୍କୁଲ ଶ୍ରେଷ୍ଠ ବିବେଚିତ ହେବା ସହିତ ଜିଲ୍ଲାସ୍ତରୀୟ ବିଜ୍ଞାନମେଳାକୁ ଯୋଗ୍ୟତା ହାସଲ କରିଛନ୍ତି । ସେହିପରି ବିଜ୍ଞାନ କୁଇଜରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦୁଇଜଣ ଛାତ୍ର ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିବା ଜଣାପଡ଼ିଛି । ବିଦ୍ୟାଳୟର ଶିକ୍ଷକ ସୌମ୍ୟରଞ୍ଜନ ବାରିକ, ସନ୍ତୋଷ ମେହେର, ଦିନେଶ କୁମାର ଶବର, ଭବାନୀଶଙ୍କର ମିଶ୍ର, ଗୋପୀନାଥ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଏବଂ ବିଭିନ୍ନ ସ୍କୁଲରୁ ଆସିଥିବା ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଜ୍ଞାନମେଳା ପରିଚାଳନାରେ ସହଯୋଗ କରିଥିଲେ ।





