ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଉଦ୍ଯାପିତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡିର ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ୨୦୨୨-୨୩ ଉଦ୍ଯାପିତ ହୋଇଯାଇଛି। ୧୭ ଓ ୧୮ ଡିସେମ୍ବର ଦୁଇଦିନ ଧରି ଚାଲିଥିବା ଏହି ମେଳାକୁ ଉଦ୍ଘାଟନ କରିଥିଲେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ, ଡଙ୍ଗରୀଗୁଡ଼ାର ଛାତ୍ରୀଗଣ ସଙ୍ଗୀତ ପରିବେଷଣ କରିଥିଲେ। ବିଜ୍ଞାନକୁ ଲୋକାଭିମୁଖୀ କରାଇପାରୁଥିବା ଉକ୍ତ ପ୍ରାରମ୍ଭିକ ସଙ୍ଗୀତର ରଚନା କରିଥିଲେ କୋକସରା ବିଇଓ ନେପାଳ ଚନ୍ଦ୍ର ବାଗ, ପରିଚାଳନା କରିଥିଲେ କଣ୍ଠଶିଳ୍ପୀ ତଥା ବରିଷ୍ଠ ଶିକ୍ଷକ ଜଗନ୍ନାଥ ତ୍ରିପାଠୀ। ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ କହିଥିଲେ ଯେ, ଜିଜ୍ଞାସାରୁ ନୂତନତା ଏବଂ ନୂତନତାରୁ ଆବିଷ୍କାର ଓ ଉଦ୍ଭାବନ। ସେଥିପାଇଁ ନିଜ ଭିତରେ ନିଜକୁ ପ୍ରଶ୍ନ ପଚାରିବାର ଓ ମନ ଭିତରେ ଥିବା ସନ୍ଦେହକୁ ମୋଚନ କରିବାକୁ ଛାତ୍ରଛାତ୍ରୀମାନେ ଅହରହ ପ୍ରୟାସ କଲେ ଦିନେ ସଫଳତାର ଶିଖରରେ ନିଶ୍ଚୟ ପହଂଚି ପାରିବେ। ସମାରୋହରେ ସଭାପତିତ୍ୱ କରିଥିଲେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁନନ୍ଦା ପଣ୍ଡା, ନର୍ଲା ବିଇଓ ତପିମଣି ଜାନୀ, କେସିଙ୍ଗା ବିଇଓ ବବ୍ରୁବାହାନ ପ୍ରଧାନ, ଥୁଆମୂଳ ରାମପୁର ବିଇଓ ଲୋକନାଥ ବେହେରା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ସରକାରୀ ହାଇସ୍କୁଲ, ଶଗଡ଼ାର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ସାହୁ।
ସେହିପରି ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଓୟୁଏଟି ଭବାନୀପାଟଣାର ଡିନ୍ ତଥା ବୈଜ୍ଞାନିକ ପ୍ରଫେସର ସପନ କୁମାର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବିଜ୍ଞାନ ଜୀବନକୁ ସରଳ କରିଛି ଓ ଜୀବନକୁ ଆହୁରି ସରସ ସୁନ୍ଦର କରିବା ପାଇଁ ସମସ୍ତ ଯୋଗ ବିଜ୍ଞାନକୁ ଆପଣେଇବା ଆବଶ୍ୟକ। ସେହିପରି ମୁଖ୍ୟ ଅତିଥି ପ୍ରଫେସର ତ୍ରିପାଠୀ କହିଥିଲେ, ଯଦି ଚେଷ୍ଟା ନିରବଚ୍ଛିନ୍ନ ରହେ, ତେବେ ଜୀବନରେ ସଫଳତା ନିଶ୍ଚିତ ପ୍ରାପ୍ତ ହେବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୋକସରା ବିଇଓ ନେପାଳ ଚନ୍ଦ୍ର ବାଗ, ମଦନପୁର ରାମପୁର ବିଇଓ ଠାକୁର ଚରଣ ସାହୁ, ଧର୍ମଗଡ଼ ବିଇଓ ନବକିଶୋର ସାହୁ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପୂର୍ବତନ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପ୍ରକାଶ ନିଶଙ୍କ। କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ଚୟନ ହୋଇ ଆସିଥିବା ୭୧ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲେ। ସେ ମଧ୍ୟରୁ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗୀମାନେ ହେଲେ ଆଦର୍ଶ ବିଦ୍ୟାଳୟ ନର୍ଲାର ଆଦ୍ୟା ଅଗ୍ରୱାଲ ଓ ସ୍ୱୟମ୍ ସ୍ୱାଗତ କର, ସରକାରୀ ହାଇସ୍କୁଲ ଜୁନାଗଡ଼ର ଅବିନାଶ ଶୁକ୍ଳା, ଆଦର୍ଶ ବିଦ୍ୟାଳୟ ଭବାନୀପାଟଣାର ଜ୍ୟୋତିରଂଜନ ମହାକୁଡ଼, ସରକାରୀ ଉଚ୍ଚ ବିଦ୍ୟାଳୟ ତଲବେଲଗାଁର ନନ୍ଦିନୀ ବେମାଲ, ସରକାରୀ ପ୍ରାଥମିକ ବିଦ୍ୟାଳୟ ପେରମଞ୍ଜିର ମନୋଜ କୁମାର ନାଏକ, ପଂଚାୟତ ହାଇସ୍କୁଲ ଉଚ୍ଛଲାର କ୍ଷିତେନ୍ଦ୍ର ରାଉତ। ବିଚାରକ ଭାବରେ ପ୍ରିୟଦର୍ଶନୀ ଇନ୍ଦିରା ମହାବିଦ୍ୟାଳୟ ଜୁନାଗଡ଼ର ଅଧ୍ୟାପିକା ସସ୍ମିତା ପଣ୍ଡା, ମ.ରାମପୁର କଲେଜର ଅଧ୍ୟାପକ ତ୍ରିନାଥ ବିଷୋୟୀ, ପ୍ରଗତି କନ୍ସେପ୍ଟ ସ୍କୁଲର ଶିକ୍ଷକ ଉଦିତ ପ୍ରତାପ ଗହୀର ଓ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟ ଭବାନୀପାଟଣାର ଅଧ୍ୟାପକ ତୁଷାରକାନ୍ତ ଦାଶ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଶାନ୍ତିଶଙ୍ଖଳା ରକ୍ଷା କରିବା ତଥା କାର୍ଯ୍ୟକ୍ରମରେ ସହଯୋଗ କରିବା ନିମନ୍ତେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କେଡ଼େଟ୍ମାନେ ବରିଷ୍ଠ ଶିକ୍ଷକ ରବି କାନୁନ୍ଗୋଙ୍କ ନେତୃତ୍ୱରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ପରିଚାଳନା କରିଥିଲେ ବରିଷ୍ଠ ବିଜ୍ଞାନ ଶିକ୍ଷକ ଶୁଭେନ୍ଦୁ ଶେଖର ବେହେରା ଓ ମହେଶ କୁମାର ଭାଟି। ସେହିପରି ସାଇନ୍ସ ମିରାକିଲ୍କୁ ପ୍ରଦର୍ଶନ କରିଥିଲେ ବରିଷ୍ଠ ଶିକ୍ଷକ ନାରାୟଣ ସାହୁ, ସମୀର କୁମାର ବେହେରା, ନିରୋଜ କୁମାର ସାହୁ, ସନ୍ତୋଷ କୁମାର କର, ପରମାନନ୍ଦ ଛୁଆଳସିଂହ, ବୀରେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା।