ମଞ୍ଚ ପ୍ରସ୍ତୁତ, ଜନସାଧାରଣଙ୍କ ମନରେ ପ୍ରବଳ ଉତ୍କଣ୍ଠା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଆଟବିକ ବିଦ୍ୟାଧର ରାଜ୍ୟ, କାନ୍ତାର, ମହାକାନ୍ତାର, ଇନ୍ଦ୍ରବନ, କମଳମଣ୍ଡଳ ଆଦି ବିବିଧ ନାମରେ ନାମିତ କଳାହାଣ୍ଡି ପ୍ରାଚୀନ କାଳରୁ ସବୁ ଦୃଷ୍ଟିରେ ସମୃଦ୍ଧ। ଏହି ବୀର ମାଟିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ‘ଦଣ୍ଡପାଟ’ ଆଜି ପର୍ଯ୍ୟନ୍ତ କଳା, ସଂସ୍କୃତି, ସାହିତ୍ୟ, ଐତିହ୍ୟ, ପରମ୍ପରାକୁ ଉଜ୍ଜୀବିତ କରି ଚାଲିଛି। ଏହି କ୍ରମରେ ଧର୍ମଗଡ଼ ବ୍ଲକ ବେହେରା ଠାରେ ଆୟୋଜିତ ଦଣ୍ଡପାଟ ଧନୁଯାତ୍ରା ମଧ୍ୟ ପୈ।ରାଣୀକ ଓ ସଂସ୍କୃତିର ବାହକ ଭାବେ କାର୍ଯ୍ୟ କରୁଛି।
ଆଜି ଦଣ୍ଡପାଟ ଧନୁଯାତ୍ରାର ପ୍ରଥମ ଦିନ। ଏନେଇ ପୂର୍ବାହ୍ନରେ ଘଣ୍ଟଦଳ, ସାଂସ୍କୃତିକ ପଟୁଆର ଓ ବାଜା ସହିତ ଦଣ୍ଡପାଟର ଅଧଷ୍ଠାତ୍ରୀ ଦେବୀ ମାଁ ଦନ୍ତେଶ୍ବରୀଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ମହୋତ୍ସବ ପଡିଆରେ ପହଞ୍ଚିଥିଲା। ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ ମଶାଲକୁ ନେଇ ପଡିଆରେ ସ୍ଥାପନ କରିଥିଲେ। କରୋନା କଟକଣାର ଦୁଇ ବର୍ଷ ପରେ ଚଳିତ ବର୍ଷ ଆଜି (୨୨ଡିସେମ୍ବର) ଠାରୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ।
ଏହି ମହୋତ୍ସବରେ ମିନାବଜାର ସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମହାରାଜ କଂସଙ୍କର ଦରବାରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ରାଜକୀୟ ଅତିଥି ଭାବେ ଅଞ୍ଚଳର ଜନପ୍ରତିନିଧି, ସରକାରୀ କର୍ମଚାରୀ ମାନେ ଯୋଗଦେବେ।
ଆଜିର ଏହି ମଶାଲ ଯାତ୍ରା କାର୍ଯ୍ୟକ୍ରମରେ ବେହେରା ସରପଞ୍ଚ କୁମୁଦିନୀ ଗଇଁତା, କମିଟି ସଭାପତି ଭବେଶ ଗଇଁତା, କୋଷାଧ୍ୟକ୍ଷ ଭବାନୀ ବାରିକ, ଭିକାରୀ ଚରଣ ଗୋପାଳ, କ୍ଷୀରସିନ୍ଧୁ ବାଣୁଆ, ଗଗନ ନାଏକ, ପ୍ରକାଶ ସାହୁ, ଭୁଜବଳ ନାଏକ, ବାଳକୃଷ୍ଣ ବିଶି, ଲଳିତ ବାଣୁଆ, ତ୍ରିଲୋକ ନାଥ ସିଂ, ତରେଶ ବିଶି, ଝାଜ ନାଏକ, ଖୀରସିନ୍ଧୁ ବାଗ, ପିକ ବିଶି, ହୁକମି ବିଶି, ଚନ୍ଦ୍ରକାନ୍ତ ରଣା, ଅଭୟ ସିଂ ରାଜପୁତ ସମେତ ଗ୍ରାମର ମହିଳା, ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଓ ଧନୁଯାତ୍ରା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ।