ଓଡିଶା ରାଜନୀତିରେ କେସିଆରଙ୍କ ଗୋଟି ଚାଳନା 

ଜାତୀୟସ୍ତରରେ ଅଣ ବିଜେପି ଓ ଅଣ କଂଗ୍ରେସ ମେଣ୍ଟ ଗଠନ କରି ନିଜର ଦବଦବା ଦେଖାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓରଫ କେସିଆର। ତାଙ୍କ ଦଳ ଟିଆରଏସ୍‌ ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍‌ ଭାବେ ନାମିତ ହେବା ପରେ କେସିଆର ପ୍ରଥମ ବୈଠକର ଅଧ୍ୟକ୍ଷତା କରିଛନ୍ତି। ହାଇଦ୍ରାବାଦର ଖାମାମ ସହରରେ ବିଆରଏସ୍‌ ଆୟୋଜନ କରିଥିବା ବୈଠକରେ ଆମ୍ ଆଦମୀ ପାର୍ଟି (ଆପ)ର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌, କେରଳ ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ପିନାରାଇ ବିଜୟନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଯୋଗ ଦେଇଥିଲେ। ସିପିଆଇ ପକ୍ଷରୁ ଡି ରାଜା ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଏବେ କର୍ଣ୍ଣାଟକାରେ ପଦଯାତ୍ରା କରୁଥିବା ଜେଡିଏସର କୁମାରସ୍ୱାମୀ ଅବଶ୍ୟ ଏହି ବୈଠକରେ ଯୋଗ ଦେଇ ନାହାନ୍ତି। କିନ୍ତୁ ସେ କେସିଆରଙ୍କ ବିଆରଏସକୁ ସମର୍ଥନ କରିଛନ୍ତି।
କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ରୀୟ ସମିତି(ବିଆରଏସ) ପାର୍ଟି ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସମସ୍ତ ୧୪୭ଟି ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେବ। ଓଡ଼ିଶାରେ ବିଜେଡି ଓ ବିଜେପିର ଅସନ୍ତୁଷ୍ଟ ନେତାମାନଙ୍କ ଉପରେ କେସିଆରଙ୍କ ଟିମ୍ ନଜର ପକାଇଛି। କେସିଆରଙ୍କ ରିସର୍ଚ୍ଚ ଟିମ୍ ଏବେ ଓଡ଼ିଶାର ବିଭିନ୍ନ ନେତାମାନଙ୍କ ସହ ଯୋଗସୂତ୍ର ରକ୍ଷା କରୁଥିବା ସୂଚନା ମିଳିଛି। କେସିଆରଙ୍କ ତେଲେଙ୍ଗାନା ଗଭର୍ଣ୍ଣାନ୍ସ ମଡେଲ ସମେତ ଦଳିତବନ୍ଧୁ ସ୍କିମ, ରାଇଥୁ ବନ୍ଧୁ ଓ ଧନୀ-ଦରିଦ୍ର ସମସ୍ତଙ୍କ ପାଇଁ ମାଗଣା ଚକ୍ଷୁ ଚିକିତ୍ସା, ମାଗଣା ବିଜୁଳି, ଶୁଦ୍ଧ ପାନୀୟ ଜଳ ଆଦି ଯୋଗାଣ ମାଧ୍ୟମରେ କେସିଆରଙ୍କ ବିଆରଏସ୍ ପାର୍ଟି ନିଜର ଲୋକପ୍ରିୟତା ଅର୍ଜନ କରିଛି। ଦଳ ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୫% ସଂରକ୍ଷଣ ଦେବା ପ୍ରସଙ୍ଗକୁ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନରେ ଉଠାଇବ ବୋଲି ସଙ୍କେତ ଦେଇଛି।ତେଲେଙ୍ଗାନାର ଖମ୍ମମଠାରେ ଏକ ବିଶାଳ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଥିବା କେସିଆରଙ୍କ ପାର୍ଟି ବିଆରଏସରେ ଓଡ଼ିଶାରୁ କୈଳାସ କୁମାର ମୁଖି ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ଶ୍ରୀ ମୁଖି ନିକଟରେ ପିସିସି ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। କେସିଆରଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ଜୟରାମ ପାଙ୍ଗୀ ସାକ୍ଷାତ କରିଥିବାବେଳେ ଶ୍ରୀ ମୁଖି ପ୍ରଥମ ଓଡ଼ିଆ ଭାବେ ବିଆରଏସ୍ ପାର୍ଟିରେ ସାମିଲ ହୋଇଛନ୍ତି। ଶ୍ରୀ ମୁଖି ଓଡ଼ିଶାରେ କେସିଆରଙ୍କ ବିଆରଏସ୍ ପାର୍ଟିର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ସମସ୍ତ ୧୪୭ଟି ବିଧାନସଭା ଆସନରେ ବିଆରଏସ୍ ପାର୍ଟି ନିଜର ପ୍ରାର୍ଥୀ ଦେବ। ଆସନ୍ତା ମାସେ-ଦେଢ଼ମାସ ମଧ୍ୟରେ ବିଆରଏସ ପାର୍ଟିରେ ରାଜ୍ୟର ୧୮-୨୦ଜଣ ପୂର୍ବତନ ବିଧାୟକ ଓ ସାଂସଦ ଯୋଗ ଦେବେ। ଦଳର ସଭାପତି କେସିଆର ନିଜେ ଓଡ଼ିଶା ଗସ୍ତରେ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ଏକ ସୁଦୃଢ଼ ବିରୋଧୀ ଦଳର ଆବଶ୍ୟକତା ରହିଛି। ସରକାର ବିରୋଧୀ ହାୱା ମଧ୍ୟ ରହିଛି। ଶାସକ ବିଜେଡି ଦ୍ୱାରା ବର୍ତ୍ତମାନର ରାଜ୍ୟ ବିଜେପି ଓ କଂଗ୍ରେସ ନେତୃତ୍ୱ ମ୍ୟାନେଜ ହେଉଥିବାରୁ ଓଡ଼ିଶାରେ ଏକ ସଫଳ ବିକଳ୍ପ ଦେବା ପାଇଁ ବିଆରଏସ୍ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।
ଏପଟେ ବହୁ କଳ୍ପନାଜଳ୍ପନା ପରେ ବିଜେପି ଛାଡ଼ି ବିଆର୍‌ଏସ୍‌ ରେ ଯୋଗ ଦେଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ଗିରିଧର ଓ ଶିଶିର। ହେଲେ ବିଜେପିରେ ଉଭୟଙ୍କୁ କୋଣଠେସା କରାଯାଉଥିବା ଅଭିଯୋଗ କରି ଆସୁଥିଲେ। ଏପରିକି କଂଗ୍ରେସ ଛାଡ଼ିବା ପରେ ଏମ୍‌ପି ଟିକେଟ ଦିଆଯିବା ନିମନ୍ତେ ଶିଶିର ଗମାଙ୍ଗଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଜେପି ପାଳନ କରି ନ ଥିବା ଅଭିଯୋଗ ହୋଇଥିଲା। ତେଣୁ ଦୀର୍ଘ ୭ ବର୍ଷ ପରେ ବିଜେପି ହାତ ଛାଡ଼ିଥିବା ସ୍ପଷ୍ଟ କରିଛନ୍ତି ଗମାଙ୍ଗ ବାପପୁଅ। ଗିରିଧର ଗାମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦଶେଖର ରାଓଙ୍କୁ ଜାନୁଆରୀ ୧୩ ତାରିଖ ଦିନ ହାଇଦ୍ରାବାଦରେ ଭେଟିଥିଲେ। ଏହି ଅବସରରେ କେସିଆର୍‌ ସେମାନଙ୍କୁ ତାଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ରେ ସାମିଲ ହେବାକୁ ଅଫର ଦେଇଥିଲେ। ଏହା ପରଠୁ ଉଭୟ ବାପପୁଅ ବିଜେପି ଛାଡ଼ି ବିଆର୍‌ଏସ୍‌ରେ ଯୋଗ ଦେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.