ନର୍ଲା ବିଧାୟକଙ୍କ ସମୀକ୍ଷା ବୈଠକ

ଲକ୍ଷ ଲକ୍ଷ ଟଙ୍କାର ଆଦିବାସୀ ହଷ୍ଟେଲ ବିଲଡିଂ ଭୁତକୋଠି ପାଲଟିଥିବାରୁ ଉଦବେଗ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ନର୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ସମସ୍ତ ଉନ୍ନୟନ କାର୍ଯ୍ୟ, ଡାକ୍ତରଖାନା ପରିସ୍ଥିତି, ଆଦିବାସୀ ହଷ୍ଟେଲ, କୃଷି ବିଭାଗର କାର୍ଯ୍ୟକ୍ରମ ଗୁଡିକ ଉପରେ ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ଭୁପିନ୍ଦର ସିଂ । ଜିଲ୍ଲା ଯୋଜନା ବୋର୍ଡର ଡେପୁଟି ଡାଇରେକ୍ଟର ଶ୍ରୀକାନ୍ତ ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜିସି ରାଉତ, ଟାଟା ପାୱାର ନର୍ଲା ଏସଡିଓ କମଲେଶ ପଧାନ, ନର୍ଲା ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର, ରେତ ଜଳସେଚନ ବିଭାଗ ଏସଡିଓ ନରେନ୍ଦ୍ର ଛତ୍ରୀଆ, ବିଶ୍ୱଭୁଷଣ ହାଁସଦା, ଏନଆରଏଚଏମ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ୍, ଜିଲ୍ଲା ଜନମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ନର୍ଲା ଆଇଆଇସି ଗଙ୍ଗାଧର ମେହେର, ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ଶିବ ବେହେରା, ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଳ ପ୍ରମୁଖ ଉପସ୍ଥିତ ରହି ନର୍ଲା ବ୍ଲକ ଅଞ୍ଚଳ ତଥା ନର୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବିଭିନ୍ନ ସ୍ଥାନରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ, ମେଡିକାଲ ଗୁଡିକର ସ୍ଥିତି, ବିଦ୍ୟୁତ ପୋଲ ଗୁଡିକ ନବୀକରଣ ପ୍ରମୁଖ ବିଷୟ ଗୁଡିକ ଉପରେ ବିଶେଷ ତଥ୍ୟ ପଦାନ କରିଥିଲେ । ନର୍ଲା ବ୍ଲକ ଅଧିନସ୍ଥ ନର୍ଲା, ପଲମ, ଉଲିକୁପା, ନିଶାଣପୁର, ସେରଗଡ ଓ ମୁରସିଂ ପ୍ରଭୃତି ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମିତ ହୋଇଛି । ନର୍ଲା, ପଲମ ଓ ଉଲିକୁପା ସ୍ଥିତ ହଷ୍ଟେଲ ଗୁଡିକରେ ଛାତ୍ରୀମାନେ ରହି ପାଠ ପଢୁଥିବା ବେଳେ ନିଶାଣପୁର, ସେରଗଡ ଓ ମୁରସିଂର ହଷ୍ଟେଲ ଚାଲୁନଥିବାରୁ ସମୀକ୍ଷା ବୈଠକରେ ଉଦ୍ୱେଗ ପ୍ରକାଶ ପାଇଥିଲା । ଛାତ୍ରୀମାନେ ଏଠାରେ ରହିବା ପାଇଁ ଚାହୁଁଥିବା ବେଳେ ଉକ୍ତ ହାଇସ୍କୁଲ ମାନଙ୍କର ପ୍ରଧାନ ଶିକ୍ଷକମାନେ ଦାଇତ୍ୱ ନେବାପଇଁ ଚାହୁଁ ନଥିବାରୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳର ଆଦିବାସୀ ଛାତ୍ରୀ ନିବାସ ଭୁତକୋଠୀ ପାଲଟିଥିବା ଆଲୋଚନା ହୋଇଥିଲା । ସେହିଭଳି ବାରବନ୍ଧା ମେଡିକାଲରେ ପାଚେରୀ ନିର୍ମିତ ହୋଇନଥିବାରୁ ଓ ପାନୀୟ ଜଳ ସମସ୍ୟା ରହୁଥିବାରୁ ଲୋକେ ହଇରାଣ ହରକତ ହେଉଥିବା ମଧ୍ୟ ଆଲୋଚନା ହୋଇଥିଲା । ନର୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରୁ ଡେପୁଟେସନରେ ଅନ୍ୟତ୍ର ନେଇଥିବା ଡାକ୍ତରମାନଙ୍କୁ ତୁରନ୍ତ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫେରାଇ ଦେବାପାଇଁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ରାଉତଙ୍କୁ କହିଥିଲେ । ଏଥିପ୍ରତି ଗୁରୁତ୍ୱ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନର୍ଲା ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ସକାଳ ୯ ଘଣ୍ଟା ସମୟରୁ ପ୍ରଥମ ପର୍ଯ୍ୟାୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନ ୩ ଘଣ୍ଟା ସମୟରୁ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡି, ନର୍ଲା ବିଡିଓ ବାସନ୍ତୀ ସେଠୀଙ୍କ ଉପସ୍ଥିତିରେ ଆଇସିଡିଏସ, ବ୍ଲକ ଅଞ୍ଚଳର ଉନ୍ନୟନ କାର୍ଯ୍ୟ, ଶିକ୍ଷା ବିଭାଗ ଓ ଅନ୍ୟାନ୍ୟ ବିଭାଗ ଗୁଡିକର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.